ଖ୍ରୀଷ୍ଟଚର୍ଚ୍ଚ ୦୧। ୦୩- ଦ୍ଵିତୀୟ ଟେଷ୍ଟରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନର ଫାଇଦା ବ୍ୟାଟସମ୍ୟାନମାନେ ଉଠାଇ ପାରି ନାହାନ୍ତି। ମାତ୍ର ଦ୍ରୁତ ବୋଲରଙ୍କ ନେତୃତ୍ଵ ନେଉଥିବା ବୁମରା ଏଥିପାଇଁ କାହାକୁ ଦୋଷ ଦେବାକୁ ଚାହାନ୍ତି ନାହିଁ। ବୁମରା ଓ ସାମି ଏକତ୍ର ସାତୋଟି ଓ୍ଵିକେଟ୍ ନେଇ ଘରୋଇ ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସକୁ ୨୩୫ ରନରେ ସୀମିତ ରଖିଥିଲେ। ମାତ୍ର ଏହା ପରେ ଭାରତ ଦ୍ଵିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୬ ଓ୍ଵିକେଟ୍ ହରାଇ ୯୦ ରନ କରିଛି।
ଭାରତ ଉପରେ ଏବେ ପରାଜୟର ବାଦଲ ଖେଳି ଯାଇଛି। କାରଣ ଦଳ ମାତ୍ର ୯୭ ରନରେ ଅଗ୍ରଣୀ ହାସଲ କରିଛି। ଶୀର୍ଷ କ୍ରମ ବ୍ୟାଟସମ୍ୟାନଙ୍କ ଖରାପ ପ୍ରଦର୍ଶନ ଉପରେ ବୁମରା କହିଛନ୍ତି ଯେ, ଆମେ କାହା ଉପରେ ଦୋଷ ଲଦିବାକୁ ଚାହୁଁନାହୁଁ। ଆମ ଦଳର ସଂସ୍କୃତି କାହା ଉପରେ ଦୋଷ ଦେବାକୁ ଚେଷ୍ଟା କରେ ନାହିଁ। କୌଣସି ଦିନ ଯଦି ବୋଲର ୟୁନିଟ୍ ଭାବେ ଆମେ ଓ୍ଵିକେଟ୍ ନନେଉ ତେବେ ବ୍ୟାଟସମ୍ୟାନଙ୍କୁ ଅଧିକାର ଦିଆଯାଏ ନାହିଁ ଯେ ସେମାନେ ଆମ ବିଷୟରେ ଆଲୋଚନା କରିବେ। ଭାରତୀୟ ଦଳରେ ଏମିତି ହୁଏ ନାହିଁ।
୨୬ ବର୍ଷୀୟ ଏହି ଦ୍ରୁତ ବୋଲର କହିଛନ୍ତି, ତାଙ୍କୁ ଋଷଭ ପନ୍ତ ଓ ହନୁମା ବିହାରୀଙ୍କ କ୍ଷମତା ଉପରେ ପୂର୍ଣ୍ଣ ଭରସା ରହିଛି। ଉଭୟ ଘରୋଇ ଦଳକୁ ତୃତୀୟ ଦିନରେ ମୁସ୍କିଲରେ ପକାଇ ପାରନ୍ତି। ଦ୍ଵିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ବିହାରୀ ପାଞ୍ଚ ଏବଂ ପନ୍ତ ଏକ ରନ କରି କ୍ରିଜରେ ଅଛନ୍ତି।
ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସରେ ୬୨ ରନ ଦେଇ ତିନୋଟି ଓ୍ଵିକେଟ୍ ନେଇଥିବା ବୁମରା କହିଛନ୍ତି ଯେ ଦଳ ଭାବେ ଆମେ କଡା ଟକ୍କର ଦେବାକୁ ଚାହୁଁଛୁ ଏବଂ ଭଲ ପ୍ରଦର୍ଶନ କରିବା ଆମର ପ୍ରାଥମିକତା। ଆମର ଦୁଇ ଜଣ ବ୍ୟାଟସମ୍ୟାନ ବଞ୍ଚିଛନ୍ତି ଏବଂ ଆମେ କଲି ଇନିଂସକୁ ଲମ୍ବା କରିବାକୁ ଚେଷ୍ଟା କରିବୁ। ଆମେ କଡା ପରିଶ୍ରମ କରି ଯେତିକି ହେବ ଅଧିକ ରନ କରିବାକୁ ଚେଷ୍ଟା କରିବୁ। ଏହା ପରେ ଦେଖାଯିବ କଣ ହେବ।