ବୁମରାଙ୍କ କମାଲ, ୨୪ ଟେଷ୍ଟରୁ ୧୦୦ ଓ୍ଵିକେଟ୍, କପିଲ ଦେବଙ୍କ ସହ ପଛରେ ରହିଲେ ଅନେକ ଦିଗ୍‌ଜ

Published By : Prameya-News7 Bureau | September 06, 2021 IST

ଓଭାଲ ୦୬।୦୯: ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓଭାଲ ଟେଷ୍ଟରେ କମାଲ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପଞ୍ଚମ ଦିନରେ ବୁମରା ୧୦୦ ଟେଷ୍ଟ ଓ୍ଵିକେଟ୍ ପୂରଣ କରିଛନ୍ତି। ଏଥିସହ ଟେଷ୍ଟରେ ଦ୍ରୁତତମ ୧୦୦ ଓ୍ଵିକେଟ୍ ନେବାରେ ଦ୍ରୁତତମ  ବୋଲର ହୋଇଛନ୍ତି। ୨୪ ମ୍ୟାଚ୍‌ରେ ସେ ଏହି ରେକର୍ଡ କରିଛନ୍ତି। ଏହା ପୂର୍ବରୁ କୌଣସି ଭାରତୀୟ ଦ୍ରୁତ ବୋଲର ଏତେ କମ ମ୍ୟାଚ୍‌ରେ ୧୦୦ ଓ୍ଵିକେଟ୍ ନେଇ ନାହାନ୍ତି।

ବୁମରା ଓଲି ପୋପଙ୍କୁ କ୍ଲିନ୍ ବୋଲ୍ଡ କରିବା ସହ ଏହି  ବଡ ଉପଲବ୍ଧି ହାସଲ କରିଛନ୍ତି। ତିନି ବର୍ଷ ପୂର୍ବେ ଟେଷ୍ଟରେ ପଦାର୍ପଣ କରିଥିବା ବୁମରା କପିଲ ଦେବ(୨୫ ଟେଷ୍ଟ), ମହମ୍ମଦ ଶାମି(୨୯), ଇରଫାନ ପଠାନ(୨୯ ଟେଷ୍ଟ)କୁ ପଛରେ ପକାଇ ଏହି ରେକର୍ଡ କରିଛନ୍ତି। ଏଥିସହ ୧୦୦ ଓ୍ଵିକେଟ୍ ନେବାରେ ଅଷ୍ଟମ ଦ୍ରୁତତମ ଭାରତୀୟ ବୋଲର ହୋଇଛନ୍ତି।

wp:html /wp:html

ବୁମରାଙ୍କ ସାଥୀ ଖେଳାଳି ଆର ଅଶ୍ଵିନ ନିଜର ୧୮ତମ ଟେଷ୍ଟରେ ଦ୍ରୁତତମ ୧୦୦ ଓ୍ଵିକେଟ୍ ହାସଲ କରିଥିଲେ। ଅଶ୍ଵିନଙ୍କ ପରେ ଇରାପଲ୍ଲୀ ପ୍ରସନ୍ନା(୨୦), ଅନିଲ କୁମ୍ବଲେ(୨୧), ସୁବାଷ ଗୁପ୍ତେ(୨୨), ବିଏସ ଚନ୍ଦ୍ରଶେଖର(୨୨), ପ୍ରଜ୍ଞାନ ଓଝା(୨୨) ଓ ବିନୁ ମଙ୍କଡ(୨୩) ଟେଷ୍ଟରେ ଏହି ସଫଳତା ହାସଲ କରିଥିଲେ।

ବୁମରା ନିଜର ଟେଷ୍ଟ କ୍ୟାରିୟର ୨୦୧୮ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଆରମ୍ଭ କରିଥିଲେ। ଜୋହାନ୍ସବର୍ଗରେ ପଦାର୍ପଣ ମ୍ୟାଚ୍‌ରେ ସେ ୪ ଓ୍ଵିକେଟ୍ ନେଇଥିଲେ। ସେ ତିନି ଟେଷ୍ଟ ମ୍ୟାଚ୍‌ରେ ୧୪ ଓ୍ଵିକେଟ୍ ନେଇ ସିରିଜ୍ ସମାପ୍ତ କରିଥିଲେ। ବୁମରା ୨୨.୬୨ ହାରରେ ୧୦୦ ଓ୍ଵିକେଟ୍ ନେଇଛନ୍ତି। ସେ ଛଅ ଥର ପାଞ୍ଚ ଓ୍ଵିକେଟ୍ ନେଇଛନ୍ତି।

ଯଶପ୍ରୀତ ବୁମରା ଭାରତର ବିଶ୍ଵ କପ୍‌ ବିଜେତା ଦଳର ଅଧିନାୟକ ରହିଥିବା କପିଲ ଦେବଙ୍କ ପଛରେ ପକାଇଛନ୍ତି। ଯିଏ ୧୯୮୦ରେ ନିଜର ୨୫ମ ଟେଷ୍ଟରେ ଏହି ଉପଲବ୍ଧି ହାସଲ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.