ଟୋକିଓ : ଜାପାନୀ ମହିଳା ସାମ୍ବାଦିକ ଶିୟୋରୀ ଇତୋଙ୍କୁ ଶେଷରେ ନ୍ୟାୟ ମିଳିଛି। ୨୦୧୫ ମସିହାରେ ଜନୈକ ପ୍ରତିଷ୍ଠିତ ସାମ୍ବାଦିକ ତାଙ୍କୁ ଚାକିରୀ କରିବାରେ ସହାୟତା କରିବେ କହି ତାଙ୍କ ପ୍ରତି ଦୁଷ୍କର୍ମ କରିଥିଲେ। ଶିୟୋରୀ ୨୦୧୭ ମସିହାରେ ଘଟଣା ସାର୍ବଜନିକ କରିବା ସହ ନ୍ୟାୟ ଲାଗି କୋର୍ଟଙ୍କ ଶରଣାପନ୍ନ ହୋଇଥିଲେ। କୋର୍ଟ ବୁଧବାର ରାୟ ଘୋଷଣା କରିଛନ୍ତି। ପ୍ରତିଷ୍ଠିତ ସାମ୍ବାଦିକ ନୋରିୟୁକି ୟାମାଗୁଚିଙ୍କୁ ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ୩.୩ ନିୟୁତ ୟେନ (୩୫ ହଜାର ୩୭୫ ଡଲାର) କ୍ଷତିଭରଣା ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।
ସିୟୋରୀ ଇତୋ ଏକ ନ୍ୟୁଜ୍ ଏଜେନ୍ସୀରେ ଇଣ୍ଟର୍ଣ୍ଣ ଥିବା ବେଳେ ତାଙ୍କ ସହ ଏହି ଘଟଣା ଘଟିଥିଲା। ୟାମାଗୁଚ୍ଚି ତାଙ୍କୁ ନିଯୁକ୍ତି ସମ୍ପର୍କିତ ବିଷୟରେ ଆଲୋଚନା ଲାଗି ଡିନରକୁ ଡକାଇ ପାନୀୟରେ ନିଶା ମିସାଇ ତାଙ୍କୁ ବେହୋସ କରିଥିଲେ। ପରେ ବେହୋସ ଅବସ୍ଥାରେ ତାଙ୍କପ୍ରତି ଦୁଷ୍କର୍ମ କରିଥିବାର ଶିୟୋରୀ ଅଭିଯୋଗ କରିଥିଲେ। ତେବେ ବଡ ସମ୍ବାଦିକଙ୍କ ମଧ୍ୟରେ ୟାମାଗୁଚ୍ଚି ଅନ୍ୟତମ ଥିବାରୁ ସେତେବେଳେ ଶିୟୋରୀ ଘଟଣା ନେଇ କାହା ଆଗରେ ଅଭିଯୋଗ କରିପାରିନଥିଲେ।
ହେଲେ ୨୦୧୭ ମସିହାରେ ଦେଶରେ #MeToo ଆନ୍ଦୋଳନ ଶିୟୋରୀଙ୍କୁ ତାଙ୍କ ବିରୋଧରେ ହୋଇଥିବା ଅନ୍ୟାୟ ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପ୍ରେରିତ କରିଥିଲା। ସେ ତାଙ୍କ ପ୍ରତି ହୋଇଥିବା ଦୁଷ୍କର୍ମକୁ ସାର୍ବଜନିକ କରିବା ସହ ନ୍ୟାୟାଳୟଙ୍କ ଶରଣାପନ୍ନ ହୋଇଥିଲେ। ଅଭିଯୋଗକୁ ୟାମାଗୁଚ୍ଚି ପ୍ରଥମରୁ ହିଁ ଅସ୍ୱୀକାର କରିଆସୁଥିଲେ। ଓଲଟି ଶିୟୋରୀଙ୍କ ଉପରେ ଚାପ ସୃଷ୍ଟି ଲାଗି ତାଙ୍କ ବିରୋଧରେ ୧୩୦ ନିୟୁତ ୟେନ ଦାବିରେ ମୋକଦ୍ଦମା ରୁଜୁ କରିଥିଲେ। ତେବେ କୋର୍ଟ ୟାମାଗୁଚ୍ଚିଙ୍କ ଦାବିକୁ ଅଗ୍ରାହ୍ୟ କରିଥିବା ବେଳେ ଏ ନେଇ ତାଙ୍କ ବୟାନକୁ ସନ୍ଦେହାସ୍ପଦ କହିଥିଲେ।
{"id":199465,"sizeSlug":"large"}କୋର୍ଟଙ୍କ ରାୟରେ ଶିୟୋରୀ ଖୁସିବ୍ୟକ୍ତ କରିଛନ୍ତି। କୋର୍ଟଙ୍କ ରାୟ ପୂର୍ବରୁ ଶିୟୋରୀ 'ଭିକ୍ଟୋରୀ' ଲେଖା ଏକ ଲିଫଲେଟ୍ ବି ସାଙ୍ଗରେ ନେଇ ଆସିଥିଲେ। ସେ କହିଛନ୍ତି ମୋତେ ଜଣାଥିଲା ୟମାଗୁଚ୍ଚି ନିଶ୍ଚିତ ଦୋଷୀ ସାବ୍ୟସ୍ତ ହେବ। ତେବେ ଏଥିଲାଗି ତାଙ୍କୁ ଅନେକ ଯନ୍ତ୍ରଣା ବି ସହିବାକୁ ପ଼ଡିଛି। କୁହାଯାଏ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଏବେଙ୍କ ସହ ୟାମାଗୁଚ୍ଚିଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ। ଏଣୁ ଶୟୋରୀ କୋର୍ଟରେ ପହଞ୍ଚିବା ପରେ ବି ୟାମାଗୁଚ୍ଚିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ଏଣୁ ସେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀ ଦଳ ସାଂସଦଙ୍କ ଶରବ୍ୟ ହେବାକୁ ପଡିଥିଲା।
କେବଳ ସେତିକି ନୁହେଁ ବ୍ରିଟିଶ ଗଣମାଧ୍ୟମ ବିବିସି 'ଜାପାନ ସିକ୍ରିଟ୍ ସେମ'ନାମରେ ଏକ ଟେଲିଭିଜନ ଡକ୍ୟୁମେଣ୍ଟ୍ରି ମଧ୍ୟ କରିଥିଲା। ତେବେ ମାମଲାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ କୌଣସି ଅନିୟମିତତା ହୋଇନଥିବା କ୍ୟାବିନେଟ୍ ସେକ୍ରେଟାରୀ ୟୋଶିହିଡ଼େ ସୁଗା କହିଛନ୍ତି। ହେଲେ ଘଟଣାକ୍ରମ ନେଇ ଶିୟୋରୀ ଲେଖିଥିବା ପୁସ୍ତକ ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଶିୟୋରୀଙ୍କ ମାମଲା ପରେ ଦେଶରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା ଓ ଦୁଷ୍କର୍ମ ମାମଲାରେ ସରକାର ଚେତିଥିଲେ। ଏଥିଲାଗି ପୂର୍ବରୁ ଥିବା ଆଇନକୁ ୨୦୧୭ ମସିହାରେ ସଂଶୋଧିତ କରାଯାଇଥିଲା। ସର୍ବାଧିକ ୩ ବର୍ଷ ଥିବା ଜେଲଦଣ୍ଡକୁ ଏବେ ୫ ବର୍ଷ କରାଯାଇଛି।