ଭାରତକୁ ୨,୧୨୯ କୋଟି ଋଣ ‌ଦେବ ଜାପାନ, କରୋନା ପ୍ରଭାବିତଙ୍କୁ ମିଳିବ ସହାୟତା

Published By : Prameya-News7 Bureau | January 10, 2021 IST

ନୂଆଦିଲ୍ଲୀ,୧୦।୦୧: ଭାରତ ଓ ଜାପାନ ମଧ୍ୟରେ ସହାୟତା ପାଇଁ ହସ୍ତାକ୍ଷର ହୋଇଛି । କରୋନା ଭଳି କଠିନ ସମୟରେ ପୁଣି ଥରେ ସହଯୋଗର ହାତ ବଢାଇବା ପାଇଁ ଉଭୟ ଦେଶ ଆଗକୁ ଆସିଛନ୍ତି । କରୋନା କାଳରେ ଦୁଇ ଦେଶ ମଧ୍ୟରେ ଗରିବ, ଦୁର୍ବଳ, ଆର୍ଥିକ ସହାୟତା, ଚିକିତ୍ସାକ୍ଷେତ୍ରରେ ସହାୟତା ପାଇଁ ୩୦ ବିଲିୟନ (୨୧୨୯ କୋଟି)ଟଙ୍କାର ବୁଝାମଣା ହୋଇଛି ।

ଭାରତୀୟ ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସିଏସ୍‌ ମୋହାପାତ୍ର ଏବଂ ଜାପାନର ରାଷ୍ଟ୍ରଦୂତ ସୁଜୁକି ସତୋଷି ମଧ୍ୟରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ବାର୍ଷିକ ୦.୬୫ ପ୍ରତିଶତ ସୁଧ ହାରରେ ଏହି ରାଜିନାମା ହେବା ସହିତ ଋଣଦେୟର ସମୟସୀମା ୧୫ ବର୍ଷ ରଖାଯାଇଛି। ପୂର୍ବରୁ ଜାପାନ କୋଭିଡ୍‌ ପରିଚାଳନା ପାଇଁ ଭାରତକୁ ୫୦ ବିଲିୟନ୍‌ ୟେନ୍‌ ଦେଇଥିଲା । ଏଥିସହିତ ୧ ବିଲିୟନ୍‌ ୟେନ୍ (୭୧ କୋଟି)ର  ଅତିରିକ୍ତ ସହାୟତା ମଧ୍ୟ ଦେଇଥିଲା। କୋଭିଡ୍-୧୯ରେ ଅର୍ଥନୀତିରେ ସଙ୍କଟ କାରଣରୁ ପ୍ରଭାବିତ ହୋଇଥିବା ଗରିବ ଲୋକ ଏବଂ ମହିଳାମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ପ୍ରଧାମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏହି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜାପାନ ରାଷ୍ଟ୍ରଦୂତ ସୂଚନା ଦେଇଛନ୍ତି।

ତେବେ ଭାରତ ପକ୍ଷରୁ କୁହାଯାଇଛି ଯେ, ଜାପାନର ଏହି ସହାୟତାକୁ ପ୍ରଧାନମନ୍ତ୍ରୀଙ୍କ କଲ୍ୟାଣ ଯୋଜନାରେ ଖର୍ଚ୍ଚ କରାଯିବ । ଯାହାକି ଭାରତରେ ସାମାଜିକ ଉନ୍ନତିରେ ସ୍ଥିରତା ଆଣି ପାରିବ । ଏହା ସହିତ କୋଭିଡ୍ର ଆଗଧାଡ଼ିର ଯୋଦ୍ଧାଙ୍କର ସ୍ୱତନ୍ତ୍ର ବୀମା କରାଯିବ, ନିର୍ମାଣ ଶ୍ରମିକଙ୍କୁ ସହାୟତା ସଙ୍ଗକୁ ଗରିବଙ୍କୁ ଖାଦ୍ୟ ସାମଗ୍ରୀ ଏବଂ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯିବ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.