ଜଣେ ପ୍ରେମିକା ପାଇଁ ରାସ୍ତାରେ ଗଡାତଡା ହେଲେ ୨ ପ୍ରେମିକ : ଡମଣା ଛକରେ ହାଇଡ୍ରାମା, ପୋଲିସ ଆସିବା ଆଗରୁ ସବୁ ଛୁ'

Published By : Prameya-News7 Bureau | November 30, 2021 IST

ଚନ୍ଦ୍ରଶେଖରପୁର,୩୦/୧୧: ଜଣେ ପ୍ରେମିକରେ ମନ ବୁଝିଲାନି । ଦୁଇ ଦୁଇ ଜଣ ଯୁବକଙ୍କୁ ଭଲ ପାଉଥିଲେ ଜଣେ ଯୁବତୀ । ଦ୍ୱିତୀୟ ପ୍ରେମିକ ସହ ବାଇକରେ ବୁଲୁଥିବା ବେଳେ ଧରା ପଡିଗଲା ପ୍ରେମିକାଙ୍କ ଲୁଚାଛପା ଦ୍ୱିତୀୟ ପ୍ରେମ । ପ୍ରଥମ ପ୍ରେମିକ ପିଛା କରି ସେମାନଙ୍କ ସବୁ ପ୍ଲାନ ଭଣ୍ଡୁର କରିଦେଲା । କଥା ସେତିକିରେ ଥମି ନଥିଲା । ନିଜ ପ୍ରେମିକାକୁ ଅନ୍ୟ ଯୁବକଙ୍କ ବାଇକରେ ଦେଖି ପ୍ରଥମ ପ୍ରେମିକଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଗଲା । ଉକ୍ତ ଯୁବକଙ୍କୁ ଛୁରିରେ ଆକ୍ରମଣ କରିବାକୁ ପଛାଇ ନଥିଲେ । ଦ୍ୱିତୀୟ ପ୍ରେମିକ ମଧ୍ୟ ନଛୋଡ଼ ବନ୍ଧା । ସେ ବି ପ୍ରତି ଆକ୍ରମଣ କଲେ । ବିଚ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ । ଦୁଇ ପ୍ରମିକଙ୍କ ଏଭଳି ଉଗ୍ର ରୂପ ଦେଖି ବିଚାରି ପ୍ରେମିକାଙ୍କ ଅକଲ ଗୁଡ଼ୁମ । ଦୁଇ ପ୍ରେମିକଙ୍କୁ ଛଡ଼ାଇବାକୁ ଯାଇ ସେ ମଧ୍ୟ ଆକ୍ରମଣର ଶିକାର ହେଲେ । ରାଜଧାନୀର ଡମଣା ଛକରେ ଘଟିଥିବା ଏଭଳି ଏକ ଘଟଣା ଦେଖଣାହାରୀଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଥିଲା ।

ଘଟଣାଟି ଏହିପରି । ଡମଣା ଅଞ୍ଚଳର ଜଣେ ଯୁବତୀ ମୋନାଲିସା ଦାସ(ଛଦ୍ମନାମ) ଦୀର୍ଘ ଦିନ ହେବ ଜଣେ ଯୁବକ ଦୀପକ(ଛଦ୍ମନାମ)ଙ୍କୁ ପ୍ରେମ କରୁଥିଲେ। ଉକ୍ତ ଯୁବକ ଜଣଙ୍କ ପଟିଆର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି । ଏହାରି ଭିତରେ ମୋନାଲିସା ଆଉ ଜଣେ ଯୁବକ ରତିକାନ୍ତ (ଛଦ୍ମନାମ)ଙ୍କୁ ଭଲ ପାଇ ବସିଲେ । ସୋମବାର ସନ୍ଧ୍ୟାରେ ସେ ରତିକାନ୍ତଙ୍କ ସହ ବାଇକ୍‌ରେ ବସି ପଟିଆରୁ ଡମଣା ଆଡ଼କୁ ଯାଉଥିଲେ । ଦୁର୍ଭାଗ୍ୟ ! ପ୍ରଥମ ପ୍ରେମିକ ଦୀପକଙ୍କ ନଜର ଉଭୟଙ୍କ ଉପରେ ପଡ଼ିଗଲା । ଦୀପକ ଉଭୟଙ୍କ ପିଛା କରି ଡମଣା ଛକରେ ପହଞ୍ଚି ଗଲେ । ବାଇକ ଆଗରେ ବାଇକ ରଖି ଉଭୟଙ୍କ ରାସ୍ତା ଓଗାଳିଲେ । ତା ପରେ ତିନି ଜଣଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । ଧୀରେ ଧୀରେ ବଚସା ଉଗ୍ର ରୂପ ନେଲା । ଦୀପକ ପାଖରେ ରଖିଥିବା ଛୁରିରେ ରତିକାନ୍ତଙ୍କୁ ଆକ୍ରମଣ କରିଥିଲେ । ରତିକାନ୍ତ ମଧ୍ୟ ପ୍ରତିଆକ୍ରମଣ କରିଥିଲେ । ଏପରିକି ତିନି ଜଣ ରାସ୍ତା ଡିଭାଇଡର ମଝିରେ ଗଡାତଡା ହୋଇ ଯାଇଥିଲେ । ରକ୍ତରେ ଜୁଡୁବୁଡୁ ହେବା ପରେ ଦେଖଣାହାରୀ ତିନି ଜଣଙ୍କୁ ଛଡାଛଡି କରିଥିଲେ । ତେବେ ୟାରି ଭିତରେ କେହି ପୁଲିସକୁ ଖବର ଦେଇ ଦେଇଥିଲା । ପୁଲିସ ଆସୁଥିବା ଜାଣି ଘଟଣାସ୍ଥଳରୁ ସମସ୍ତେ ଚମ୍ପଟ ମାରିଥିଲେ । ଏହି ଘଟଣା ଆଜି ଡମଣା ଛକରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.