ଜନଧନ ଖାତାରେ ପୁଣି ଥରେ ୧୫୦୦ ଟଙ୍କା ପଠାଇ ପାରନ୍ତି ମୋଦୀ ସରକାର, ୨୦ କୋଟିରୁ ଅଧିକ ଗରିବ ମହିଳାଙ୍କୁ ମିଳିବ ଲାଭ

Published By : Prameya-News7 Bureau | October 28, 2020 IST

ନୂଆଦିଲ୍ଲୀ ୨୮।୧୦: କରୋନା ଭାଇରସ୍ ମହାମାରୀ କାରଣରୁ ଦେଶରେ ସବୁଠୁ ଅଧିକ ସମସ୍ୟା ଗରିବ ବର୍ଗର ଲୋକଙ୍କୁ ଭୋଗିବାକୁ ପଡୁଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଗରିବଙ୍କୁ ସହାୟତା ପାଇଁ ମୋଦୀ ସରକାର ନଭେମ୍ବର ୩୦ ପର୍ଯ୍ୟନ୍ତ ମାଗଣାରେ ରାସନ ଉପଲବ୍ଧ କରାଇବାକୁ ଘୋଷଣା କରିଥିଲେ। ହେଲେ ଏବେ ଏହି ଅବଧିକୁ ବଢାଇ ୨୦୨୧ ମାର୍ଚ୍ଚ କରାଯାଇପାରେ।  ଏପରିକି ଏହି ସଙ୍କଟ ସମୟରେ ଗରିବ ପରିବାରଙ୍କ ଆର୍ଥିକ ସହାୟତା ପାଇଁ ମୋଦୀ ସରକାର ଜନ ଧନ ଖାତାରେ ପୁଣି ଥରେ ୧୫୦୦ ଟଙ୍କା ଜମା କରି ପାରନ୍ତି।

ଏହା ପୂର୍ବରୁ ମୋଦୀ ସରକାର ଲକ୍‌ଡାଉନ୍ ସମୟରେ ଗରିବ ପରିବାର ମହିଳାଙ୍କ ଜନଧନ ଖାତାରେ ତିନି ମାସ ପାଇଁ ୫୦୦-୫୦୦ କରି ୧୫୦୦ ଟଙ୍କା ପଠାଇଥିଲେ। ଏବେ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ମୋଦୀ ସରକାର ମହିଳାଙ୍କ ଜନଧନ ଖାତାରେ ପୁଣି ଥରେ ୧୫୦୦ ଟଙ୍କା ପଠାଇବାକୁ ପ୍ରସ୍ତୁତି କରୁଛନ୍ତି। ମୋଦୀ ସରକାରଙ୍କ ଉଦ୍ଦେଶ୍ୟ ପାର୍ବଣ ଋତୁରେ ଗରିବ ପରିବାର ଖୁସିରେ ଉତ୍ସବ ପାଳନ କରନ୍ତୁ।

ମିଡିଆ ରିପୋର୍ଟ ଅନୁଯାୟୀ ସରକାର ଗରିବ ଏବଂ ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ତୃତୀୟ ପ୍ରୋତ୍ସାହନ ପ୍ୟାକେଜ୍‌ର ପ୍ରସ୍ତୁତି କରୁଛନ୍ତି। ସରକାର ଗରିବ  କଲ୍ୟାଣ ଯୋଜନା ଆଧାରରେ ଶସ୍ୟ ଓ ଟଙ୍କା ଦେବାକୁ ଘୋଷଣା କରି ପାରନ୍ତି। ଏହା ପୂର୍ବରୁ ସରକାର ୨୦ କୋଟିରୁ ଅଧିକ ମହିଳାଙ୍କ ଜନଧନ ଖାତାରେ ୩ ମାସ ପାଇଁ ୧୫୦୦ ଟଙ୍କା  ଜମା କରିଥିଲେ।

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆଧାରରେ ଜିରୋ ବାଲାନ୍ସରେ ସଞ୍ଚୟ ଖାତା ଖୋଲାଯାଇପାରିବ। ଏଥିରେ ଚେକବୁକ୍ ଓ ବୀମା ପରି ସମସ୍ତ ସୁବିଧା ଦିଆଯାଇଥାଏ। ଆପଣ ମଧ୍ୟ କୌଣସି ବ୍ୟାଙ୍କ ଶାଖାକୁ ଯାଇ ଦସ୍ତାବିଜ ଜମା କରି ଖାତା ଖୋଲିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.