ଜନତା କର୍ଫ୍ୟୁ: ମାର୍ଚ୍ଚ ୨୨ରେ ବନ୍ଦ ରହିବ ୮୦ ପ୍ରତିଶତ ପେଟ୍ରୋଲ ପମ୍ପ, କେବଳ ଜରୁରୀ ସେବା ଲାଗି ମିଳିବ ତେଲ, ଜାଣନ୍ତୁ କେଉଁଠି ଲାଗୁ ହୋଇଛି ଏହି ନିୟମ
21/03/2020 at 2:53 PM

ନୂଆଦିଲ୍ଲୀ ୨୧।୦୩: ଦେଶରେ କରୋନା ଭୂତାଣୁର ବଢୁଥିବା ପ୍ରାର୍ଦୁଭାବକୁ ପ୍ରତିରୋଧ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦେଶବାସୀଙ୍କୁ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁର ପାଳନ କରିବାକୁ ଆହ୍ଵାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ଵାନକୁ ସମସ୍ତ ସାମାଜିକ ସଂଗଠନ, ସେଲିବ୍ରିଟି, ରାଜ୍ୟ ସରକାର ସମର୍ଥନ ଜଣାଇଛନ୍ତି, ଯଦ୍ଵାରା ଜନତା କର୍ଫ୍ୟୁ ସଫଳ ହୋଇ ପାରିବ। ଜନତା କର୍ଫ୍ୟୁକୁ ସଫଳ କରିବା ପାଇଁ ଉତ୍ତର ପ୍ରଦେଶ ପେଟ୍ରୋଲିୟମ ଟ୍ରେଡର୍ସ ଆସୋସିଏସନ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ, ମାର୍ଚ୍ଚ ୨୨ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ।
କେବଳ ସେମାନଙ୍କୁ ମିଳିବ ପେଟ୍ରୋଲ
ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁକୁ ସଫଳ କରିବା ଲାଗି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଣ୍ଣୟ ନିଆଯାଇଛି। ସେହି ସମୟରେ ଜରୁରୀକାଳୀନ ସେବା ଯେପରି ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ, ପୋଲିସ ବାହାନକୁ ଏହି ପ୍ରତିବନ୍ଧକରୁ ମୁକ୍ତ ରଖାଯାଇଛି। ସମସ୍ତ ପେଟ୍ରୋଲ ପମ୍ପର ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଉଛି ଯେ, ମାର୍ଚ୍ଚ ୨୨ରେ ନିଜର ପ୍ରତିଷ୍ଠାନରେ କେବଳ ଦୁଇ ଜଣ କର୍ମଚାରୀଙ୍କୁ ଡ୍ୟୁଟିରେ ରଖନ୍ତୁ।

ଉଲ୍ଲେଖଯୋଗ୍ୟ, ଭାରତରେ କରୋନାର ପ୍ରକୋପ ବଢିବାରେ ଲାଗିଛି। ଅଦ୍ୟାବଧି ୨୭୦ରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ହୋଇଛନ୍ତି। ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫ରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମାର୍ଚ୍ଚ ୨୨ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଇଁ ଆହ୍ଵାନ ଦେଇଛନ୍ତି। ସେ ଦେଶବାସୀଙ୍କୁ ବୈଶିକ ମହାମାରୀର ମୁକାବିଲା ଲାଗି ଏକାଠି ଆସିବାକୁ ଅପିଲ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ବୃଦ୍ଧ ବ୍ୟକ୍ତିଙ୍କୁକ ଘରୁ ନ ବାହାରିବାକୁ ଅପିଲ କରିଛନ୍ତି।
ଅନେକ ସେବା ବନ୍ଦ
ଜନତା କର୍ଫ୍ୟକୁ ଧ୍ୟାନରେ ରଖି ଶନିବାର ମଧ୍ୟ ରାତ୍ରରୁ ରବିବାର ରାତି ୧୦ଟା ପର୍ଯ୍ୟନ୍ତ ଦେଶରେ ରେଳ ଚଳାଚଳ ବନ୍ଦ ରହିବ। ମେଲ୍ ଓ ଏକ୍ସପ୍ରେସ ଟ୍ରେନ ରବିବାର ସକାଳ ୪ଟାରୁ ଚଳାଚଳ କରିବ ନାହିଁ। ଭାରତୀୟ ରେଲଓ୍ଵେ କରୋନା ଭୂତାଣୁ କାରଣରୁ ଅନାବଶ୍ୟକ ଯାତ୍ରା ଉପରେ ରୋକ୍ ଲଗାଇବା ପାଇଁ ଏ ପର୍ଯ୍ୟନ୍ତ ୨୪୫ ଟ୍ରେନ ବାତିଲ କରି ସାରିଛି। ଦିଲ୍ଳୀ ମେଟ୍ରୋ ସେବା ମଧ୍ୟ ରବିବାର ବନ୍ଦ ରଖାଯାଇଛି।