Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାଷଣ ଦେବା ସମୟରେ ଭାଙ୍ଗିଗଲା ମଞ୍ଚ, ତଳେ ପଡି ଆହତ ହେଲେ ଜେଏପି ସୁପ୍ରିମୋ ପପୁ ଯାଦବ

31/10/2020 at 4:38 PM

ପାଟନା ୩୧।୧୦: ବିହାର ବିଧାନସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନକୁ ଆଉ କିଛି ଦିନ ବାକି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ଏବଂ ନେତାଙ୍କ ପକ୍ଷରୁ ଜୋରସୋରରେ ପ୍ରଚାର ଅଭିଯାନ ଚାଲିଛି। ନେତାଙ୍କ ଦ୍ଵାରା ମାରାଥନ ରାଲି ଚାଲିଛି। ଆରୋପ ପ୍ରତ୍ୟାରୋପ ଚରମରେ ରହିଛି। ଏହା ମଧ୍ୟରେ ବିହାରରେ ନେତାଙ୍କ ମଞ୍ଚ ଭାଙ୍ଗିବା ଖବର ମଧ୍ୟ ଲଗାତାର ଆସୁଛି। ଏହି କ୍ରମରେ ଆଜି ଜନ ଅଧିକାର ପାର୍ଟିର ନେତା ପପୁ ଯାଦବଙ୍କ ମଞ୍ଚ ଭୁଶୁଡି ପଡିଛି।

ଆଜି ମୁଜଫରପୁର ଜିଲ୍ଲାର ମୀନାପୁର ବିଧାନସଭାରେ ଜେଏପି ପ୍ରମୁଖ ପପୁ ଯାଦବ ଏକ ରାଲିକୁ ସମ୍ବୋଧିତ କରୁଥିଲେ। ମଞ୍ଚ ଉପରେ ବଡ ସଂଖ୍ୟାରେ ଲୋକ ମଧ୍ୟ ଉପସ୍ଥିତ ଥିଲେ। ରାଲି ସମୟରେ ଜେଏପି ନେତା ଭାଷଣ ଦେଉଥିବା ବେଳେ ଅଚାନକ ମଞ୍ଚ ଭୁଶୁଡି ପଡିଥିଲା। ମଞ୍ଚ ଭାଙ୍ଗିବାରୁ ଜେଏପି ଅଧ୍ୟକ୍ଷ ପପୁ ଯାଦବଙ୍କ ଡାହାଣ ହାତ ଆଘାତ ଲାଗିଛି। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହା ପୂର୍ବରୁ ପଶ୍ଚିମ ଚମ୍ପାଚରଣର ବାଗହି ଦେବରାଜରେ କଂଗ୍ରେସ ପାର୍ଟିର ଏକ ସାର୍ବଜନୀନ ରାଲି ସମୟରେ ଗୁରୁବାର ମଞ୍ଚ ଭାଙ୍ଗିଥିଲା। ଏହି ସମୟରେ ମଞ୍ଚରେ କଂଗ୍ରେସ ନେତା ଇମରାନ ପ୍ରତାପଗଢି ଓ ଅଖିଳେଶ ସିଂହଙ୍କ ସହିତ ପାର୍ଟିର ଅନେକ କାର୍ଯ୍ୟକର୍ତ୍ତା ମଞ୍ଚରେ ଉପସ୍ଥିତ ଥିଲେ। ସମସ୍ତଙ୍କୁ ସାମାନ୍ୟ ଆଘାତ ଲାଗିଥିଲା। ସେହି ପରି ଜେଡିୟୁ ନେତା ତଥା ତେଜପ୍ରତାପ ଯାଦବଙ୍କ ଶ୍ଵଶ୍ଵର ଚନ୍ଦ୍ରିକା ରାୟଙ୍କ ନିର୍ବାଚନୀ ସଭାର ମଞ୍ଚ ମଧ୍ୟ ଭାଙ୍ଗି ଯାଇଥିଲା। ମଞ୍ଚରେ ଚନ୍ଦ୍ରିକା ରାୟଙ୍କୁ ମାଳ ପିନ୍ଧାଇବା ନେଇ ଭିଡ ଜମିଥିଲା ଏବଂ ଏହି ସମୟରେ ମଞ୍ଚ ଭୁଶୁଡି ପଡିଥିଲା।

   Related Posts