ଲୋକସଭାରେ ଗୃହୀତ ହେଲା ଜମ୍ମୁ-କାଶ୍ମୀର ପୂର୍ନଗଠନ ବିଲ
6/08/2019 at 7:57 PM

ନୂଆଦିଲ୍ଲୀ୬|୮: ଆଜି ଦିନ ତମାମ ଜମ୍ମୁ -କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ଜମ୍ମୁ- କାଶ୍ମୀର ପୂର୍ନଗଠନ ବିଲ ଲୋକସଭାରେ ଗୃହିତ ହୋଇଛି। ବିଲ ସପକ୍ଷରେ ୩୭୦ ସଦସ୍ୟ ଭୋଟ ଦେଇଥିବା ବେଳେ ବିପକ୍ଷରେ ୭୦ ଜଣ ସଦସ୍ୟ ଭୋଟ ଦେଇଥିଲେ। ଭୋଟ ବେଳେ ସମାଜବାଦୀ ପାର୍ଟି ସଦସ୍ୟ କକ୍ଷ ତ୍ୟାଗ କରିଥିଲେ ।
ସୂଚନାଯୋଗ୍ୟ ଯେ, ଗତକାଲି ରାଜ୍ୟସଭାରେ ମଧ୍ୟ ଏହି ବିଲ ଗୃହିତ ହୋଇଥିଲା। ରାଜ୍ୟ ସଭାରେ ୧୨୫ ଜଣ ସଦସ୍ୟ ବିଲ ସପକ୍ଷରେ ଭୋଟ ଦେଇଥିବା ବେଳେ ୬୧ ଜଣ ସଦସ୍ୟ ବିଲ ବିପକ୍ଷରେ ଭୋଟ ଦେଇଥିଲେ। ଉଭୟ ରାଜ୍ୟସଭା ଓ ଲୋକସଭାରେ ବିଜୁଜନତା ସଦସ୍ୟମାନେ ବିଲ ସପକ୍ଷରେ ଭୋଟ ଦେଇଥିଲେ। ଏହି ବିଲ ପାର୍ଲାମେଣ୍ଟର ଉଭୟ ଗୃହରେ ଗୃହିତ ହେବା ପରେ ଏବେ ଜମ୍ମୁ-କାଶ୍ମୀର ବିଭାଜିତ ହୋଇଛି। ଜମ୍ମୁ-କାଶ୍ମୀର ରାଜ୍ୟ ମାନ୍ୟତା ହରାଇବା ସହ ଜମ୍ମୁ-କାଶ୍ମୀରରୁ ଲଦାଖ ଅଲଗା ହୋଇଛି।
ଜମ୍ମୁ ଓ କାଶ୍ମୀର ମିଶି ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିବା ବେଳେ ଲଦାଖ ଆଉ ଏକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛି । ବିଲ ଅନୁସାରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରରେ ଦିଲ୍ଲୀ ଓ ପୁଡ଼ୁଚେରୀ ଭଳି ବିଧାନସଭା ରହିବ। କିନ୍ତୁ ଲଦାଖରେ ବିଧାନସଭା ରହିବ ନାହିଁ।ଉଭୟ ରାଜ୍ୟରେ ଜଣେ ଲେଖାଏଁ ଲେପ୍ଟନାଣ୍ଟ ଗଭର୍ଣ୍ଣର ନିଯୁକ୍ତ ହେବେ।