ଜମ୍ମୁ-କାଶ୍ମୀରରେ ଅପରେସନ୍ ଅଲଆଉଟ୍ : ସୁରକ୍ଷାକର୍ମୀ- ଆତଙ୍କବାଦୀ ମୁହାଁମୁହିଁ, ଜଣେ ଆତଙ୍କୀ ନିହତ

Published By : Prameya-News7 Bureau | April 02, 2021 IST

ଶ୍ରୀନଗର, ୦୨।୦୪: ଜମ୍ମୁ-କାଶ୍ମୀରର ପୁଲଓ୍ୱାମା କାକାପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏବେସୁଦ୍ଧା ମିଳିଥିବା ସୂଚନ ଅନୁସାରେ ୩ ଜଣ ଆତଙ୍କବାଦୀଙ୍କୁ ଯବାନମାନେ ଘେରି ରହିଛନ୍ତି । ଏହାସହ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏବେବି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସ୍ଥାନୀୟ ଲୋକଙ୍କୁ ଘର କବାଟ ଓ ଝରକା ବନ୍ଦ ରଖିବାକୁ ଅପିଲ କରାଯାଇଛି । ଏପରିକି ପୁଲଓ୍ୱାମାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।

ସୂଚନା ଅନୁସାରେ, ସୁରକ୍ଷାକର୍ମୀଙ୍କୁ ୩ରୁ ୪ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ରିପୋର୍ଟ ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ କାକାପୋରା ଗ୍ରାମରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ନିଜକୁ ବିପଦରେ ଦେଖି ପ୍ରଥମେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହାପରେ ଯବାନମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ ।

ଏବେସୁଦ୍ଧା ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଅନ୍ୟ ଆତଙ୍କବାଦୀଙ୍କୁ ନିପାତ ପାଇଁ ଫାୟାରିଂ ଜାରି ରହିଛି । ଆତଙ୍କବାଦୀଙ୍କ ପାଖରେ ମଧ୍ୟ ବିପୁଳ ମାତ୍ରାରେ ଗୁଳିଗୋଳା ଥିବା କୁହାଯାଉଛି ।

ସୂଚନାଯୋଗ୍ୟ, କିଛିଦିନ ତଳେ ଏକ ରିପୋର୍ଟ ଆସିଥିଲେ । ଏଥିରେ ଆତଙ୍କବାଦୀମାନେ ଏକ ବଡ ଧରଣର ଆତଙ୍କବାଦୀ କାର୍ଯ୍ୟକଳାପ ବାବଦରେ ଷଡଯନ୍ତ୍ର କରୁଥିବା ଜଣା ପଡିଥିଲା । ଆତଙ୍କବାଦୀମାନେ ୫୦ କେଜି ଆରଡିଏକ୍ସ ବିସ୍ପୋରକ ଶ୍ରୀନଗର ପହଁଚାଇବାକୁ ଯୋଜନା କରୁଥିବା ରିପୋର୍ଟରେ ପ୍ରକାଶ ପାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.