ରାଜୌରୀ ଏନକାଉଣ୍ଟରରେ ଦୁଇ ପାକିସ୍ତାନୀ ଆତଙ୍କବାଦୀ ନିହତ, ୨ ଯବାନ ସହିଦ

Published By : Prameya-News7 Bureau | July 08, 2021 IST

ଶ୍ରୀନଗର ୦୮।୦୭: ଜମ୍ମୁ-କଶ୍ମୀରର ରାଜୌରୀରେ ଗୁରୁବାର ସନ୍ଧ୍ୟାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଯବାନ ସହିଦ ହୋଇଛନ୍ତି। ନାଏବ ସୁବେଦାର ଶ୍ରୀଜୀତ ଓ ସିପାହୀ ଯଶଓ୍ଵନ୍ତ ରେଡ୍ଡୀ। ଗୁଳି ବିନିମୟ ରାଜୌରୀ ଓ ସୁନ୍ଦରବନୀ ସେକ୍ଟରରେ ଘଟିଛି। ମୃତକ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ର ଶସ୍ତ୍ର ଓ ଗୋଳା ବାରୁଦ ଜବତ କରାଯାଇଛି। ସୁରକ୍ଷାବଳ ଆତଙ୍କବାଦୀ ବିରୋଧରେ ଅଭିଯାନକୁ ଆହୁରି ଜୋରଦାର କରିଛନ୍ତି। ଗୁରୁବାର ଦିନ ହିଁ ଗୁଳିବିନିମୟରେ ଛଅ ଆତଙ୍କବାଦୀଙ୍କ ପ୍ରାଣହାନୀ ଘଟିଛି।

ଏହା ପୂର୍ବରୁ ଜମ୍ମୁ-କଶ୍ମୀରର କୁଲଗାମ ଓ ପୁଲଓ୍ଵାମାରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ୪ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଏନକାଉଣ୍ଟର ସେହି ସମୟରେ  ହୋଇଛି, ଯେବେ ହିଜବୁଲ ମୁଜାହିଦ୍ଦିନର ଆତଙ୍କୀ କମାଣ୍ଡର ବୁରାହାନ ଓ୍ଵାନି ମୃତ୍ୟୁର ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ଗୁରୁବାର ଘାଟିର କିଛି ଅଞ୍ଚଳକୁ ବନ୍ଦ ରଖାଯାଇଥିଲା। ପୋଲିସର ଜଣେ ମୁଖପାତ୍ରଙ୍କ ଅନୁଯାୟୀ, ପୁଲଓ୍ଵାମାର ପୁଚାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସୂଚନା ମିଳିବା ପରେ ପୋଲିସ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଫ) ଓ ସେନା ମିଳିତ ଅଭିଯାନ ଚଳାଇଥିଲେ।

ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀଙ୍କ ଆଡ୍ଡାର ସନ୍ଧାନ ମିଳିବା ପରେ ସେମାନଙ୍କୁ ଆତ୍ମ ସମର୍ପଣ କରିବାକୁ କୁହାଗଲା। ହେଲେ ଆତଙ୍କୀ ସେନା ଉପରକୁ ଗୁଳି ଚଳାଇଥିଲେ। ଯବାନଙ୍କ ପାଲଟା ଜବାବରୁ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇ ଯାଇଥିଲା। ଏଥିରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରୁ ଦୁଇ ମୃତ ଶରୀରର ଜବତ କରାଯାଇଛି। ଏହି ଦୁଇ ଆତଙ୍କବାଦୀ ଲସ୍କର ଇ ତୋଇବାର ହୋଇଥିବା ଜଣା ପଡିଛି। ଅନ୍ୟପଟେ ଦୁଇ ଯବାନ ମଧ୍ୟ ସହିଦ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.