ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି ; ୨୩ ବର୍ଷ ପରେ ପୁଣି ଜାରି ହେଲା ରାଷ୍ଟ୍ରପତି ଶାସନ

Published By : Prameya-News7 Bureau | December 20, 2018 IST

ନୂଆଦିଲ୍ଲୀ ୨୦|୧୨: ଜମ୍ମୁ-କଶ୍ମୀରରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । କେନ୍ଦ୍ର କ୍ୟାବିନେଟ୍ ର ମଞ୍ଜୁରୀ ପରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ୍ ମଲିକ୍ ଙ୍କ ଦ୍ବାରା ପଠାଯାଇଥିବା ଏକ ରିପୋର୍ଟକୁ ତର୍ଜମା କରିବା ପରେ କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ଲାଗୁ ନେଇ ପ୍ରସ୍ତାବ ରଖିଥିଲେ । ୬ ମାସ ପୂର୍ବରୁ ଲାଗୁ ହୋଇଥିବା ରାଜ୍ୟପାଳ ଶାସନ ବୁଧବାର ଶେଷ ହୋଇଛି । ଫଳରେ ଗତକାଲି ମଧ୍ୟରାତ୍ରରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଚଳିତ ବର୍ଷ ଜୁନ୍ ରେ ଜମ୍ମୁ କଶ୍ମୀରରେ ପିଡିପି-ବିଜେପି ମେଣ୍ଟ ସରକାରରୁ ବିଜେପି ଓହରିଯିବା ପରେ ସରକାର ଭାଙ୍ଗି ଯାଇଥିଲା । ଏହାପରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା । ରାଜ୍ୟପାଳ ସତ୍ୟପାଲ୍  ମଲିକ ମଧ୍ୟ ନଭେମ୍ବର ୨୧ ତାରିଖରେ ଜମ୍ମୁ କଶ୍ମୀର ବିଧାନସଭା ଭାଙ୍ଗିଦେଇଛନ୍ତି । ତେବେ ରାଷ୍ଟ୍ରପତି ଶାସନ ୬ ମାସ ପାଇଁ ଲାଗୁ ହେବ ।  ଏହି ୬ ମାସ ମଧ୍ୟରେ ରାଜ୍ୟରେ ନିର୍ବାଚନ ଘୋଷଣା ହୋଇପାରେ ।  ଯଦି ନିର୍ବାଚନ ଘୋଷଣା ନହୁଏ, ତେବେ ରାଷ୍ଟ୍ରପତି ଶାସନ ଆଉ ୬ ମାସ ବୃଦ୍ଧି କରାଯିବ । ଏହି ପ୍ରସ୍ତାବକୁ ରାଷ୍ଟ୍ରପତି ମଞ୍ଜୁରି ଦେଇଛନ୍ତି। ୧୯୯୬ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେଲା । ରାଷ୍ଟ୍ରପତି ଶାସନ ଲାଗୁ ହେବାକୁ ନ୍ୟାସନାଲ କନଫରେନ୍ସ ନେତା ଫାରକୁ ଅବଦୁଲ୍ଲା ସମାଲୋଚନା କରିଛନ୍ତି । ରାଜ୍ୟରେ ରାଜ୍ୟପାଳ ଓ ରାଷ୍ଟ୍ରପତି ଶାସନର ଅନ୍ତ ଘଟାଯାଇ ନିର୍ବାଚନ କରାଯିବାକୁ ସେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.