ସୁରକ୍ଷାବଳକୁ ଆଉ ଏକ ସଫଳତା: ଜୈସ-ଇ-ମହମ୍ମଦର ଆତଙ୍କବାଦୀ ଗିରଫ, ବିପୁଳ ପରିମାଣର ଗୋଳା-ବାରୁଦ ଜବତ

Published By : Prameya-News7 Bureau | November 22, 2020 IST

ନୂଆଦିଲ୍ଲୀ ୨୨/୧୧ : ଜାମ୍ମୁ-କାଶ୍ଚୀରରେ ସୁରକ୍ଷାବଳକୁ ଆଉ ଏକ ବଡ ସଫଳତା । ଜୈସ-ଇ-ମହମ୍ମଦର ଜଣେ ଆତଙ୍କବଦୀକୁ କାବୁ କରିଛି ସୁରକ୍ଷାବଳ । ଗିରଫ ହୋଇଥିବା ଆତଙ୍କବାଦୀ ନିକଟରୁ ବିପୁଳ ପରିମାଣର ଗୋଳା-ବାରୁଦ ଜବତ କରାଯାଇଥିବା ସୂଚନା ମିଳିଛି । କିଛି ଦିନ ହେବ ସୀମାରେ ଜୈସ ଆତଙ୍କବାଦୀ ସଂଗଠନର କାର୍ଯ୍ୟକଳାପ ବଢିବାରେ ଲାଗିଛି । ସେପଟେ ଏହାର କଡା ଜବାବ ମଧ୍ୟ ଦେଉଛନ୍ତି ଭାରତୀୟ ସେନା ।

କିଛି ଦିନ ପୂର୍ବରୁ ଏକ ବଡ ଧରଣର ଆକ୍ରମଣ ଯୋଜାନାକୁ ପଣ୍ଡ କରିଥିଲା ଭାରତୀୟ ସେନା ।  ଏକ ମାଲବାହୀ ଟ୍ରକରେ ଲୁଚିକି ଆସୁଥିବା ୪ ଜଣ ଜୈସ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ ସୁରକ୍ଷାବାହିନୀ । ସେମାନେ ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ଆଉ ଏକ ବିସ୍ଫୋରଣ କରିବାକୁ ଯୋଜନା କରୁଥିବା ଜଣାପଡିଥିଲା । ଏନକାଉଣ୍ଟର ପରେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ପୁଲଓ୍ବାମା ଜିଲ୍ଲା ଚଟପୋରା ବୋଲେରା ଅଞ୍ଚଳର ରହୁଥିବା ନାସୀର ଅହମ୍ମଦ ଡାରକୁ ଗିରଫ କରାଯାଇଛି । ତା ପାଖରୁ ଗୋଳା ବାରୁଦ ଏବଂ ହତିଆର ମଧ୍ୟ ଜବତ କରାଯାଇଛି ।ଏହା ପୂର୍ବରୁ ମଧ୍ୟ ସୁରକ୍ଷାବଳ ଦକ୍ଷିଣ କାଶ୍ମୀରର ପୁଲଓ୍ବାମା​‌ ଜିଲ୍ଲା ଅବନ୍ତୀପୁରାରୁ ଆତଙ୍କୀ ସଂଗଠନ ଜୈସ-ଇ-ମହମ୍ମଦକୁ ସାହାଯ୍ୟ କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ତାଙ୍କ ପାଖରୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା ପୋଲିସ ସୂଚନା ଦେଇଥିଲା । ସେମାନଙ୍କ ବିରୁଦ୍ଧରେ ଏବେ ଦେଶଦ୍ରୋହ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.