ସୋପିଆନରେ ଏନକାଉଣ୍ଟର: ସେନା ଗୁଳିରେ ଟଳିଲେ ୫ ଆତଙ୍କବାଦୀ, ୪ ଦିନରେ ମଲେଣି ୧୪
10/06/2020 at 4:49 PM

ଶ୍ରୀନଗର ୧୦।୦୬: ଜାମ୍ମୁ-କାଶ୍ମୀରର ସୋପିଆନ ଜିଲ୍ଲାରେ ବୁଧବାର ମଧ୍ୟ ସୁରକ୍ଷାବଳ ପକ୍ଷରୁ ଆତଙ୍କବାଦୀ ବିରୋଧୀ ଅଭିଯାନ ଚଳାଯାଇଛି । ଘେରାବନ୍ଦୀ ଓ ଗୁଳି ବିନିମୟ ମଧ୍ୟରେ ସେନା ଗୁଳିରେ ୫ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଗତ ଚାରି ଦିନ ଭିତରେ ସୋପିଆନରେ ତୃତୀୟ ଏନକାଉଣ୍ଟର।
ପ୍ରତିରକ୍ଷା ମନ୍ତ୍ରଣାଳୟର କର୍ଣ୍ଣେଲ ରାଜେଶ କାଲିଆ କହିଛନ୍ତି, ଆତଙ୍କବାଦୀଙ୍କ ଛପି ରହିଥିବାର ସୂଚନା ମିଳିବା ପରେ ଜାମ୍ମୁ-କାଶ୍ମୀର ପୋଲିସର ସ୍ଵତନ୍ତ୍ର ପୋଲିସ, ସିଆରପିଏଫ ଓ ରାଷ୍ଟ୍ରୀୟ ରାଇଫଲ୍ସର ଯବାନ ଆଜି ଭୋରରୁ ସୋପିଆନର ସୁଗୁ ହନ୍ଦାମାହ ଗାଁରେ ମିଳିତ ଅପରେସନ ଆରମ୍ଭ କରିଥିଲେ।

ସୁରକ୍ଷାବଳ ସମସ୍ତ ମାର୍ଗକୁ ସିଲ୍ କରି ଘର ଘର ଲଲାସି ନେଇଥିଲେ। ସୁରକ୍ଷାବଳର ଯବାନ ସକାଳ ପ୍ରାୟ ସାଢେ ୫ଟାରେ ଯେବେ ଗାଁର ଲକ୍ଷିତ କ୍ଷେତ୍ର ଆଡେ ବଢୁଥିଲେ ସେହି ସମୟରେ ଛପି ରହିଥିବା ଆତଙ୍କବାଦୀ ଆଖିବୁଜା ଗୁଳିମାଡ ଆରମ୍ଭ କରିଥିଲେ। ସୁରକ୍ଷାବଳ ମଧ୍ୟ ପାଲଟା ଜବାବ ଦେଇଥିଲେ। ଉଭୟ ପକ୍ଷ ମଧ୍ୟରେ ଜାରି ଗୁଳି ବିନିମୟରେ ୫ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଏହି ଚାରି ଦିନରେ ୧୪ ଜଣ ଆତଙ୍କବାଦୀ ସେନା ଗୁଳିରେ ପ୍ରାଣ ହରାଇ ସାରିଲେଣି।
ଏହା ସହିତ ଦୁଇ ସପ୍ତାହ ସମୟରେ ବିଭିନ୍ନ ଗୁଳିବିନିମୟରେ ମରିଥିବା ଆତଙ୍କବାଦୀଙ୍କ ସଂଖ୍ୟା ୨୫କୁ ବୃଦ୍ଧି ଘଟିଛି। ସୁରକ୍ଷା ଦୃଷ୍ଟିରୁ ଅତିରିକ୍ତ ପୋଲିସବଳ ମୁତୟନ କରାଯାଇଛି। କୌଣସି ପ୍ରକାରର ଗୁବଜକୁ ଦୃଷ୍ଟିରେ ରଖି ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି।
ଜିଲ୍ଲାରେ ରବିବାର ଓ ସୋମବାର କ୍ରମାଗତ ଦୁଇ ଦିନ ଧରି ଗୁଳିବିନିମୟ ଜାରି ରହିଥିଲା। ଏଥିରେ ୯ ଜଣ ଆତଙ୍କବାଦୀ ସେନା ଗୁଳିରେ ପ୍ରାଣ ହରାଇନ୍ତି। ସୋମବାର ସେନା ଗୁଳିରେ ୪ ଆତଙ୍କବାଦୀ ଟଳି ପଡିଥିଲେ।