ଜାମ୍ମୁ କାଶ୍ମୀରରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା, ଆତଙ୍କବାଦୀ ମାରିଥିଲେ ୩ ରାଉଣ୍ଡ ଗୁଳି

Published By : Prameya-News7 Bureau | August 10, 2020 IST

ଶ୍ରୀନଗର ୧୦।୮: ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ବଡଗାମ୍ ଭାରତୀୟ ଜନତା ପାର୍ଟି (ବିଜେପି) ଓବିସି ମୋର୍ଚ୍ଚା ସଭାପତି ଅବଦୁଲ ହମିଦ ନାଜରଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅଜ୍ଞାତ ବନ୍ଧୁକଧାରୀମାନେ ବିଜେପି ନେତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ଅବଦୁଲ ହମିଦ କେନ୍ଦ୍ରୀୟ କାଶ୍ମୀରର ବଡଗାମ ଜିଲ୍ଲାର ବାସିନ୍ଦା ଥିଲେ ।

ଅଧିକାରୀ ସୂତ୍ରରୁ ପ୍ରକାଶ ଯେ ବିଜେପିର ଓବିସି ମୋର୍ଚ୍ଚା ସଭାପତି ଅବଦୁଲ୍ ହମିଦ ନାଜର ସକାଳ ୫ଟା ୩୦ ମିନିଟ୍ ରେ ମୋହିନ୍ଦପୋରାରେ ଥିବା ତାଙ୍କ ବାସଭବନରୁ ମର୍ଣ୍ଣିଂ ଓ୍ବାକ୍ ପାଇଁ ଯାଇଥିଲେ । ସେ ଅଳ୍ପ ଦୂର ଚାଲି ଚାଲି ଯିବା ପରେ ରେଲୱେ ଟ୍ରାକ୍ ନିକଟରେ ଲୁଚିଥିବା ଆକ୍ରମଣକାରୀମାନେ ତାଙ୍କୁ ଉପରକୁ ୩ଟି ଗୁଳି ଚଳାଇ ସେଠାରୁ ଫେରାର ହୋଇଯାଇଥିଲେ ।

ସ୍ଥାନୀୟ ଲୋକ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ରହିଥିଲା । ଚିକିତ୍ସାଧିନ ଅବସ୍ଥାରେ ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି । ଉକ୍ତ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ସରପଞ୍ଚ ଆରିଫ ଅହମ୍ମଦ ଶାହା ମଧ୍ୟ ଗୁରୁତର ଆହତ ହୋଇଥିଲେ । ସୂଚନାଯୋଗ୍ୟ ଯେ, ଘାଟିରେ ଥିବା ଧାରା ୩୭୦ ହଟାଯିବା ପରେ ବିଜେପି ନେତାମାନେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.