ଆନ୍ଦୋଳନ ସମର୍ଥନରେ ଗାଜିପୁର ସୀମାକୁ ଆସିଥିଲେ ଜାମିଆ ଛାତ୍ର, ବୁଝାଇସୁଝାଇ ଫେରାଇ ଦେଲେ କୃଷକ ନେତା
13/12/2020 at 9:26 PM

ନୂଆଦିଲ୍ଲୀ ୧୩।୧୨: କୃଷକ ଆନ୍ଦୋଳନ ଯେତିକି ଆଗକୁ ଯାଉଛି, ଚାଷୀଙ୍କୁ ନେଇ ସମାଜର ବିଭିନ୍ନ ସ୍ତରରେ ଉଦବେଗ ସେତିକି ବଢୁଛି। ରବିବାର ଜାମିଆ ମିଲିଆ ଇସ୍ଲାମିଆର ଛାତ୍ର ସଙ୍ଗଠନ ଚାଷୀଙ୍କ ସହ ଆନ୍ଦୋଳନରେ ନିଜକୁ ସାମିଲ କରିବା ଲାଗି ଗାଜିପୁର ସୀମାରେ ପହଞ୍ଚିଥିଲେ। ଆନ୍ଦୋଳନକୁ ଜୋରଦାରକରିବା ଲାଗି ଛାତ୍ରଛାତ୍ରୀମାନେ ସାଙ୍ଗରେ ବାଜା ଓ ହାତରେ କିଛି ପୋଷ୍ଟର ମଧ୍ୟ ଲେଖିକି ନେଇ ଆସିଥିଲେ। ସେଠାରେ ଚାଷୀଙ୍କ ନେତୃତ୍ୱ ନେଉଥିବା ରାକେଶ ଟିକୈତଙ୍କ ସହ ଛାତ୍ରମାନେ ଆନ୍ଦୋଳନରେ ସାମିଲ ହେବା ଲାଗି ଆଲୋଚନା କରିଥିଲେ।

ଟିକୈତ ଆନ୍ଦୋଳନ ଚାଷୀଙ୍କର ବୋଲି ଛାତ୍ରଙ୍କୁ ବୁଝାଇଥିଲେ। ଏଣୁ ଛାତ୍ରମାନେ ଆନ୍ଦୋଳନରେ ସାମିଲ ହେଲେ ସେମାନଙ୍କ ପାଠପଢା ପ୍ରଭାବିତ ହେବ ବୋଲି କହିଥିଲେ। ଚାଷୀମାନେ ସେମାନଙ୍କ ବୋଝ ଏବେବି ସେମାନଙ୍କ କାନ୍ଧରେ ବୋହି ପାରୁଛନ୍ତି, ଏଣୁ କୋମଳମତି ଛାତ୍ର ଏ ବିଷୟରେ ଚିନ୍ତା ନ କରି ନିଜ ପାଠ ପଢାରେ ଧ୍ୟାନ ଦିଅନ୍ତୁ ବୋଲି ଟିକୈତ ଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ଆନ୍ଦୋଳନରେ ଆମ ଭିତରେ ଅନେକ ଚାଷୀ ଅଛନ୍ତି ଯେଉଁମାନେ ସେମାନଙ୍କ ପିଲାଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଉଚ୍ଚଶିକ୍ଷା ଦେଉଛନ୍ତି। ଯଦି ଆମ ଲାଗି ପିଲାମାନେ ପାଠପଢା ଛାଡି ଆନ୍ଦୋଳନରେ ଯୋଗଦେବେ ଚାଷୀଙ୍କ ସ୍ୱପ୍ନ ଭାଙ୍ଗିଯିବ। ଏଣୁ ତୁମେମାନେ କ୍ୟାମ୍ପସକୁ ଫେରିଯାଅ ବୋଲି ଟିକୈତ କହିଥିଲେ। ତାଙ୍କ ପରାମର୍ଶ ମନି ଛାତ୍ରନେତା ଓ ସମର୍ଥକମାନେ ଫେରିଯାଇଛନ୍ତି।

ଏଥିରେ କିଛି କୃଷକ ସଙ୍ଗଠନ ସରକାରଙ୍କ ଆଇନ ସପକ୍ଷରେ ଯିବା ସହ ଆନ୍ଦୋଳନରୁ ନିଜକୁ ଓହରାଇ ନେଇଛନ୍ତି। ତେବେ କୃଷକ ନେତା ଗୁରୁନାମ ସିଂ ଚଢୁନୀ ସେପରି ସଙ୍ଗଠନଙ୍କ ଆନ୍ଦୋଳନ ସହ ସାମିଲ ଏବଂ ଓହରି ଯିବାରେ ମିଳିତ ଚାଷୀ ଆନ୍ଦୋଳନ ସହ କୌଣସି ସମ୍ପର୍କ ନଥିଲା କି ଏବେ ନାହିଁ ବୋଲି କହିଛନ୍ତି। ଚାଷୀ ଭାବେ ସେମାନେ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ ଓ ନିଜକୁ ନିଜେ ଓହରି ଯାଉଛନ୍ତି ବୋଲି ସେ କହିଛନ୍ତି। ହେଲେ ଯେଉଁ ଆଇନ ପ୍ରତ୍ୟାହାର ନେଇ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାହା ରଦ୍ଦ ହେଲେ ହିଁ ଚାଷୀଙ୍କ ଆନ୍ଦୋଳନ ସମାପ୍ତ ହେବ ବୋଲି ଚଢୁନୀ କହିଛନ୍ତି। ସୋମବାର ଚାଷୀମାନେ କଳା ଆଇନ ବିରୋଧରେ ଅନଶନକୁ ଯିବେ ବୋଲି ସେ କହିଛନ୍ତି। କୃଷକନେତାମାନେ ଯିଏ ଯେଉଁଠାରେ ଅଛନ୍ତି ସେଠାରେ ଅନସନ କରିବାକୁ ନିଷ୍ପତ୍ତି ହୋଇଥିବା ସେ ସୂଚିତ କରିଛନ୍ତି।