ଟେଷ୍ଟ କ୍ରିକେଟ୍‌ରେ ସଚିନଙ୍କ ଏହି ବିଶ୍ଵ ରେକର୍ଡ ଭାଙ୍ଗି ପାରନ୍ତି ଆଣ୍ଡରସନ, ପଛରେ ରହିଯିବେ ଅନେକ ପୂର୍ବତନ ଖେଳାଳି

Published By : Prameya-News7 Bureau | May 31, 2021 IST

ନୂଆଦିଲ୍ଲୀ ୩୧।୦୫: ଦୁନିଆର ସର୍ବକାଳୀନ ଟେଷ୍ଟ ଦ୍ରୁତ ବୋଲରଙ୍କ ମଧ୍ୟରେ ସାମିଲ ଇଂଲଣ୍ଡର ଜେମ୍ସ ଆଣ୍ଡସରନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡର ସମକକ୍ଷ ହୋଇ ପାରନ୍ତି। ଆଣ୍ଡରସନ ସମର ସିଜିନର ଆରମ୍ଭ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ କରିବାକୁ ଯାଉଛନ୍ତି। ଆଣ୍ଡରସନ ଜୁଲାଇ ୧୦ରେ ୩୯ ବର୍ଷ ବୟସରେ ପଦାର୍ପଣ କରିବେ। ଏହି ବୟସରେ ମଧ୍ୟ ସେ  ବର୍ତ୍ତମାନ ବିଶ୍ଵର ଦ୍ରୁତ ବୋଲରଙ୍କ ମଧ୍ୟରୁ ଅନ୍ୟତମ। ସମର ସିଜିନରେ ଇଂଲଣ୍ଡ ଘରୋଇ ମାଟିରେ ସାତୋଟି ଟେଷ୍ଟ ମ୍ୟାଚ୍ ଖେଳିବ। ତେବେ ଏହି ସମୟରେ ଆଣ୍ଡରସନ ବୋଲିଂ ବ୍ୟତୀତ ଆଉ କିଛି ବ୍ୟକ୍ତିଗତ ରେକର୍ଡ ମଧ୍ୟ ନିଜ ନାମରେ କରିପାରନ୍ତି। ଏଥିରେ ସ୍ଵଦେଶରେ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିବା ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ସାମିଲ।

ତେନ୍ଦୁଲକର ନିଜ କ୍ୟାରିୟରରେ ୨୦୦ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏଥିରୁ ସେ ୯୪ଟି ସ୍ଵଦେଶରେ ଖେଳିଛନ୍ତି। ଘରୋଇ ମାଟିରେ ସର୍ବାଧିକ ଟେଷ୍ଟ ଖେଳିବାର ରେକର୍ଡ ସଚିନଙ୍କ ନାମରେ ରହିଛି। ଇଂଲଣ୍ଡ ଯଦି ରୋରେଟସନ ନୀତି ନଆପଣାଏ ତେବେ ଆଣ୍ଡରସନ ସାତୋଟି ମ୍ୟାଚ୍ ଖେଳି ସଚିନଙ୍କ ଏହି ରେକର୍ଡ ସହ ସମକକ୍ଷ  ହୋଇ ପାରିବେ। ଆଣ୍ଡରସନ ପୂର୍ବରୁ କହି ସାରିଛନ୍ତି ଯେ, ସେ ନ୍ୟୁଜିଲାଣ୍ଡ ବିପକ୍ଷ ୨ ଟେଷ୍ଟ ସହ ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ସବୁ ମ୍ୟାଚ୍ ଖେଳିବାକୁ ଚାହାନ୍ତି। ସେ ଏ ପର୍ଯ୍ୟନ୍ତ ଇଂଲଣ୍ଡରେ ୮୯ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଯଦି ଏହି ସାତୋଟି ମୁକାବିଲା ଖେଳନ୍ତି ତେବେ ତେନ୍ଦୁଲକରଙ୍କ(୯୬) ସହ ସମକକ୍ଷ ହୋଇ ପାରିବେ ଏବଂ ପରବର୍ତ୍ତୀ ସମୟରେ ରେକର୍ଡ ଭାଙ୍ଗିପାରିବେ।

{"id":459572,"sizeSlug":"large","linkDestination":"none"}

ସ୍ଵଦେଶରେ ସର୍ବାଧିକ ଟେଷ୍ଟ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ସଚିନଙ୍କ ପରେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ(୮୯), ଆଣ୍ଡରସନ, ଆଲିଷ୍ଟର କୁକ ଓ ଅଷ୍ଟ୍ରେଲିଆର ଷ୍ଟିଭ୍ ଓ୍ଵ(ସମସ୍ତେ ୮୯ ମ୍ୟାଚ୍) ସାମିଲ। ଆଣ୍ଡରସନ ଏବେ କୁକଙ୍କ ଦୁଇଟି ରେକର୍ଡ ନିଜ ନାମରେ କରି ପାରିବେ। ଇଂଲଣ୍ଡ ପକ୍ଷରୁ କୁକ୍ ସର୍ବାଧିକ ୧୬୧ ଟେଷ୍ଟ ଖେଳିଛନ୍ତି। ଏଥିସହ ସର୍ବାଧିକ ଟେଷ୍ଟ ଖେଳିଥିବା ଶିବନାରାୟଣ ଚନ୍ଦ୍ରପଲ(୧୬୪), ରାହୁଲ ଦ୍ରାବିଡ(୧୬୪) ଓ  ଜ୍ୟାକ୍ କାଲିସ(୧୬୬)ଙ୍କୁ ମଧ୍ୟ ପଛରେ ପକାଇ ପାରନ୍ତି।

ବୋଲିଂ ଉପରେ ନଜର ପକାଇଲେ ଆଣ୍ଡରସନ ସ୍ଵଦେଶରେ ୪୦୦ ଓ୍ଵିକେଟ୍ ନେବାରେ ଦୁନିଆର ଦ୍ଵିତୀୟ ବୋଲର ହୋଇ ପାରନ୍ତି। ଏଥିରୁ ସେ ୧୬ ଓ୍ଵିକେଟ୍ ଦୂରରେ ଅଛନ୍ତି। ଘରୋଇ ମାଟିରେ ୮୯ ଟେଷ୍ଟ ଖେଳି ଆଣ୍ଡସରନ ୩୮୪ ଓ୍ଵିକେଟ୍ ନେଇଛନ୍ତି। ଶ୍ରୀଲଙ୍କାର ମୁଥେୟା ମୁରଲୀଧରଣ ୭୯ଟି ଟେଷ୍ଟରୁ ୪୯୩  ଓ୍ଵିକେଟ୍ ନେଇଛନ୍ତି। ଅନିଲ କୁମ୍ବଲେ ୬୩ଟି ମ୍ୟାଚ୍‌ରୁ ୩୫୦ ଓ ଷ୍ଟୁଆର୍ଟ ବ୍ରଡ ୮୨ଟି ମ୍ୟାଚ୍‌ରୁ ୩୩୪ ଓ୍ଵିକେଟ୍ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.