୩ ଜମାତ ଫେରନ୍ତାଙ୍କ ପାଇଁ ମିରଟର ଦେହଲୀ ଗେଟ୍ ହେଲା କରୋନା ହଟସ୍ପଟ୍, ସିଲ୍ କରିବାକୁ ଯାଇଥିବା ପୋଲିସ ଉପରେ ପଥର ମାଡ

Published By : Prameya-News7 Bureau | April 11, 2020 IST

ମିରଟ, ୧୧|୦୪ :  ଉତ୍ତର ପ୍ରଦେଶର ମିରଟ ସହରକୁ କରୋନା ଭାଇରସ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ବୋଲି ଦର୍ଶାଯାଇଛି । ଏଠାକାର ଦେହଲୀ ଗେଟ୍ ଓ ଜଲି କୋଠିରେ କରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇଛି । ଫଳରେ ଏହି ଅଞ୍ଚଳକୁ ପ୍ରଶାସନ ସିଲ୍ କରିଦେଇଛି । ତେବେ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଯାଇଥିବା ପୋଲିସ ଓ ମେଡିକାଲ ଟିମ୍ ଉପରକୁ କିଛି ବ୍ୟକ୍ତି ପଥର ମାଡ କରିଛନ୍ତି । ଫଳରେ ସିଟି ମାଜିଷ୍ଟ୍ରେଟ ଓ ଦେହେଲୀ ଗେଟର ଆଇଆଇସି ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

ଗୃହ ସଚିବ ଅବନୀଶ ଅଗସ୍ତୀ କହିଛନ୍ତି ଯେ, ଶନିବାର ଏଠାରେ କିଛି ବ୍ୟକ୍ତି ସିଲ୍ କରିବାକୁ ଯାଇଥିବା ପୋଲିସ ବାହିନୀ ଉପରେ ଆକ୍ରମଣ କରିଥିଲେ । ସମସ୍ତଙ୍କ ବିରୋଧରେ ଏନଏସଏ ଲାଗୁ ହୋଇଛି । ଏହି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି । ଥାନାଧିକାରୀ ଦିନେଶ ଶୁକ୍ଲାଙ୍କ କହିବାନୁସାରେ, ଏହି ଅଞ୍ଚଳରେ ମହାରାଷ୍ଟ୍ର ଜମାତ କାର୍ଯ୍ୟକ୍ରମରେ ସାମିଲ ଥିବା ୩ ସଦସ୍ୟ ଫେବ୍ରୁଆରୀରେ ୨୪ରେ ମିରଟ ଆସିଥିଲେ । ସେମାନେ ଦେହେଲୀ ଗେଟ୍ ନିକଟରେ ଥିବା ଏକ ମସଜିଦରେ ରହିଥିଲେ ।

ଶୁକ୍ରବାର ଏହି ତିନିଜଣଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଶନିବାର ସକାଳେ ଦେହେଲୀ ଗେଟ୍ ଥାନାଦିକାରୀ ରବିନ୍ଦ୍ ସିଂ ପୋଲିସ ଫୋର୍ସ ଓ ମେଡିକାଲ ଟିମ୍ ନେଇ ସେଠାକୁ ଏକ ରାସ୍ତା ସିଲ୍ ପାଇଁ ଯାଇଥିଲେ । ସେମାନଙ୍କ ସହ ସିଟି ମାଜିଷ୍ଟ୍ରେଟ୍ ମଧ୍ୟ ଉପସ୍ଥିତ ଥିଲେ । ସେହି ସମୟରେ କିଛି ଦୁର୍ବୃତ୍ତ ସେମାନଙ୍କ ଉପରେ ପଥର ମାଡ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.