ମହିଳାଙ୍କ ପେଟରୁ ବାହାରିଲା ୪କୋଟି ଟଙ୍କାର କୋକିନ : ଗିଳିଥିଲେ ୭୪ଟି କେପସୁଲ

Published By : Prameya-News7 Bureau | December 14, 2018 IST

ଦିଲ୍ଲୀ ୧୪/୧୨ : ଦିଲ୍ଲୀ ଅବକାରୀ ବିଭାଗ ଇନ୍ଦିରା ଗାନ୍ଧୀ ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦରରୁ ଜଣେ ମହିଳାଙ୍କୁ ଗିରଫ କରିଛି | ମହିଳାଙ୍କ ପାଖରୁ ୯୦୦ ଗ୍ରାମ କୋକିନ ଜବତ କରିଛି ଅବକାରୀ ବିଭାଗ | ମହିଳା ଜଣକ ଅଭିନବ ଉପାୟରେ କୋକିନ ନେଇ ଆସୁଥିଲେ | କୋକିନକୁ ସେ କେପସୁଲରେ ଭରି କେପସୁଲକୁ ଗିଳି ଦେଇଥିଲେ | ଅବକାରୀ ବିଭାଗକୁ ଏହି ଚୋରା କାରବାର ସମ୍ପର୍କରେ ପୂର୍ବରୁ ହିଁ ଖବର ମିଳିଥିଲା | ଅବକାରୀ ବିଭାଗ ପାଖକୁ ଖବର ଆସିଥିଲା ଯେ, ଜମାଇକାର ଜଣେ ମହିଳା ନିଜ ପେଟରେ କୋକିନ କେପସୁଲ ଧରି ଭାରତକୁ ଯାଉଛନ୍ତି | ଖବର ପାଇ ଅବକାରୀ ବିଭାଗ ବିମାନବନ୍ଦରରେ ପହଂଚିଥିଲେ | ତେବେ ମହିଳା କେଉଁ ବିମାନରେ ଆସୁଛନ୍ତି ସେ ଖବର ମଧ୍ୟ ଅବକାରୀ ବିଭାଗ ଅଧିକାରୀଙ୍କ ପାଖେ ଥିଲା | ଯାହାଫଳରେ ମହିଳାଙ୍କୁ ଖୋଜିବାକୁ ତାଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିନଥିଲା |

ଏୟାରପୋର୍ଟରେ ପଚରାଉଚୁରା କରିବାରୁ ମହିଳା କିଛି କହିନଥିଲେ | ଅବକାରୀ ବିଭାଗ ଅଧିକାରୀ ମହିଳାଙ୍କୁ ନେଇ ହସ୍ପିଟାଲ ପହଂଚିଥିଲେ | ଡାକ୍ତର ମହିଳାଙ୍କର ଏକ ଏକ୍ସରେ କରିବାରୁ ଜଣାପଡିଲା ଯେ, ମହିଳାଙ୍କ ପେଟରେ କେପସୁଲ ଅଛି | ମହିଳାଙ୍କ ପେଟର କେଉଁ କେଉଁ ଜାଗାରେ କେପସୁଲ ରହିଛି ତାହା ମଧ୍ୟ ଏକ୍ସରେରେ ଜଣାପଡିଯାଇଥିଲା | ସାବଧାନୀ ସହକାରେ ମହିଳାଙ୍କ ପେଟରୁ ୭୪ଟି କେପସୁଲ ବାହାର କରାଯାଇଥିଲା |

ଏହାପରେ ଅବକାରୀ ବିଭାଗ ସମସ୍ତ କେପସୁଲକୁ ଖୋଲି ଯାଞ୍ଚ କରିଥିଲେ | ୭୪ଟି କେପସୁଲରୁ ୯୦୦ ଗ୍ରାମ କୋକିନ ବାହାରିଥିଲା | ଏହି କୋକିନର ଆନୁମାନିକ ମୂଲ୍ୟ ୪କୋଟି ଟଙ୍କା | ଜମାଇକାର ଏହି ମହିଳା ଜଣକ ସାଓପୋଲୋରୁ କୋକିନ ଧରି ଭାରତକୁ ଆସୁଥିଲେ | ପୋଲିସ ମହିଳା ଜଣକୁ ଗିରଫ କରିଛି | ମହିଳାକୁ ପଚରାଉଚୁରା କରି ପୋଲିସ ନାଇଜେରିଆ ଆଉ ଦୁଇ ଜଣ ନାଗରିକଙ୍କୁ ଗିରଫ କରିଛି | ଏହି ମହିଳା ନାଇଜେରିଆର ଏହି ଯୁବକଙ୍କୁ କୋକିନ ସପ୍ଲାଏ କରୁଥିବା ଖବର ମିଳିଥିଲା ପୋଲିସକୁ |

ସୂଚନାଯୋଗ୍ୟ ଯେ, ନୂଆ ବର୍ଷ ପାଖାପାଖି ଡ୍ରଗ୍ସ କାରବାରରେ ବୃଦ୍ଧି ପାଇଥାଏ | ଧରା ପଡିଥିବା ଏହି କୋକିନ ମଧ୍ୟ ନୂଆ ବର୍ଷ ପାର୍ଟି ପାଇଁ ଆସିଥିବା ଜଣାପଡିଛି | ମହିଳା ଗିରଫ ହେବା ପରେ ଏହି କାରବାରରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମଧ୍ୟ ଧରା ପଡିବେ ବୋଲି ଅବକାରୀ ବିଭାଗ ଆଶଙ୍କା କରୁଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.