ସାତ ଲକ୍ଷ ଟଙ୍କାର କାମ, ଦେଢ଼ ଲକ୍ଷ ଟଙ୍କା ପିସି ମାଗୁଛନ୍ତି ବ୍ଲକ୍‌ ଅଧ୍ୟକ୍ଷା, ନଚେତ୍ କାମ ବନ୍ଦ କରିବାକୁ ଧମକ : ଅଡିଓ ଭାଇରାଲ…

Published By : Prameya-News7 Bureau | April 29, 2021 IST

ରାଇରଙ୍ଗପୁର ୨୯/୪ : ଗ୍ରାମାଞ୍ଚଳରେ ଲୋକଙ୍କ ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ବିଭିନ୍ନ ଯୋଜନାରେ ଖର୍ଚ୍ଚ କରୁଛନ୍ତି । କିନ୍ତୁ ଜନସାଧାରଣଙ୍କ ଯୋଜନାଗୁଡିକ ସଠିକ୍‌ ଢଙ୍ଗରେ ପହଞ୍ଚୁଛି କି ନାହିଁ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଛି କୁଜି ନେତା, ଲୋକ ପ୍ରତିନିଧି ତଥା ଦୁର୍ନୀତି ଗ୍ରସ୍ଥ ସରକାରୀ ବାବୁଙ୍କ ପାଇଁ କିପରି ଉନ୍ନୟନ ପ୍ରକଳ୍ପ ସବୁ ଅଟକି ରହୁଛି ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଜାମଦା ବ୍ଲକରେ । ବ୍ଲକ ଅଧ୍ୟକ୍ଷା ମାଳତୀ ଆଲଦା ସାତ ଲକ୍ଷର ଧାନ ଖଳା ପିଣ୍ଡି ନିର୍ମାଣ କାର୍ଯ୍ୟରେ ଦେଢ଼ଲକ୍ଷ ଟଙ୍କା ପିସି ନ ଦେଲେ କାମ ବନ୍ଦ କରିବାକୁ ଧମକ ଦେଉଥିବା ଅଡ଼ିଓ ସୋସିଆଲ ମେଡିଆ ରେ ଘୁରି ବୁଲୁଛି ।

ସୂଚନା ମୁତାବକ ଜାମଦା ବ୍ଲକର ଦୁନ୍ଦୁ ପଞ୍ଚାୟତ ରେ ଏକ ଧାନ ଖୋଳା ପିଣ୍ଡି ନିର୍ମାଣ କରାଯାଇଥିଲା । ବିଭାଗୀୟ ଯନ୍ତ୍ରୀଙ୍କ ନାଁ ରେ କାର୍ଯ୍ୟାଦେଶ ହୋଇଥିଲେ ମଧ୍ୟ ଦୁନ୍ଦୁ ଗ୍ରାମର କିଛି ଯୁବକ କାମ କରୁଥିଲେ । ତେବେ ଉକ୍ତ କାର୍ଯ୍ୟ ପାଇଁ ବ୍ଲକ ଅଧ୍ୟକ୍ଷା ଦେଢ଼ ଲକ୍ଷ ଟଙ୍କା ପିସି ମାଗୁଥିବା ଅଭିଯୋଗ ହୋଇଛି । ଏତେ ଟଙ୍କା ପିସି ଦେବାରେ ଅକ୍ଷମତା ପ୍ରକାଶ କରିବାରୁ ନିଜର ପାଖ ଲୋକଙ୍କୁ ପଠାଇ ନିର୍ମାଣ କାମ ଚାଲିଥିବା ବେଳେ ହଇରାଣ କରୁଥିଲେ । ତେବେ ତତ୍କାଳୀନ ବିଡ଼ିଓଙ୍କ ଆଶ୍ୱାସନା ପରେ ନିର୍ମାଣ କାର୍ଯ୍ୟ ଶେଷ ହେବାର ଚାରି ମାସ ବିତିଗଲେ ବି ଅର୍ଥ ପଇଠ କରା ଯାଉନାହିଁ ।

ଏ ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ମଧ୍ୟ ସମସ୍ୟାର ସମାଧାନ ନ ହେବାରୁ ଅଧ୍ୟକ୍ଷାଙ୍କ ମୋବାଇଲ ରେ ଅର୍ଥଦାବୀ କରୁଥିବା ଅଡ଼ିଓ କୁ କେହି ଭାଇରାଲ କରିଦେଇଛି । ତେବେ କନିଷ୍ଠ ଯନ୍ତ୍ରୀଙ୍କ ନାଁରେ କାମ ଶେଷ ହବା ର ଦୀର୍ଘମାସ ପରେ ବିଲ ନ କରିବା ସମ୍ପୃକ୍ତ ଯନ୍ତ୍ରୀଙ୍କ ଭୂମିକାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ଏହାର ନିରପେକ୍ଷ ତଦନ୍ତ ହେଲେ ଜାମଦା ବ୍ଲକର ଅନେକ କାର୍ଯ୍ୟର ପିସି କାରବାରର ଗୁମର ଖୋଲିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.