ଜଲପା ନଦୀରୁ ମୃତଦେହ ଉଦ୍ଧାର ଘଟଣା : ତଦନ୍ତରେ ଅସନ୍ତୁଷ୍ଟ ପରିବାର ଲୋକେ, ଏସଡିପିଓଙ୍କ ନିକଟରେ କଲେ ଅଭିଯୋଗ

Published By : Prameya-News7 Bureau | April 03, 2021 IST

ରାଇରଙ୍ଗପୁର,୦୩/୦୪:  ରାଇରଙ୍ଗପୁର  ଜଲପା ନଦୀରୁ ମୃତଦେହ ଉଦ୍ଧାର ଘଟଣାରେ ନ୍ୟାୟ ପାଇଁ ଏସଡିପିଓଙ୍କ ଦ୍ୱାରସ୍ଥ ହେଲେ ମୃତକଙ୍କ ପରିବାର। ପୋଲିସର ତଦନ୍ତରେ ଶିଥିଳତା ଯୋଗୁଁ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ତେବେ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଯଥାଶୀଘ୍ର ଗିରଫ କରିବା ପାଇଁ  ପରିବାର ଲୋକଙ୍କ ପକ୍ଷରୁ ରାଇରଙ୍ଗପୁର ଏସଡିପିଓଙ୍କୁ  ଲିଖିତ ଅଭିଯୋଗ ପ୍ରଦାନ କରାଯାଇଛି।

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ବଡହାତନାବେଡା ଗ୍ରାମର ଝୁମାଲ ତିରିୟା ଓରଫ କ୍ଷେତ୍ର ମୋହନ ଗତ ୬ ତାରିଖରେ ବୁଟଗଛ ବିକ୍ରି କରିବା ପାଇଁ ଧଡିଚୁଆ ଗ୍ରାମ ସ୍ଥିତ କାରଗିଲ ଛକକୁ  ଯାଇଥିଲେ। କିନ୍ତୁ ସେହିଦିନ ସେ ଘରକୁ ଫେରି ନଥିବାରୁ ପରିବାର ଲୋକେ ସମସ୍ତେ ମିଶି ତାଙ୍କୁ ରାତି ସାରା ଖୋଜାଖୋଜି କରିଥିଲେ । କିନ୍ତୁ ଝୁମାଲଙ୍କ କୌଣସି ପତ୍ତା ପାଇ ନ ଥିଲେ। ତାପର ଦିନ ଅର୍ଥାତ୍ ୭ ତାରିଖରେ ଝୁମାଲଙ୍କ ମୃତଦେହ ବଡହାତନାବେଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟ ଜଲପା ନଦୀରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଘର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ବାଦାମପାହାଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। 

{"id":432542,"sizeSlug":"large","linkDestination":"none"}

ତେବେ ଆଜିକୁ ୨୭ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସର ହାତରେ କୌଣସି ସୁରାକ ଲାଗି ପାରିନାହିଁ। ଯାହା ଫଳରେ ମୃତକଙ୍କ ପରିବାର ଲୋକେ ନ୍ୟାୟ ପାଇବା ଆଶାରେ ରାଇରଙ୍ଗପୁର ଏସଡିପିଓ ଗାୟତ୍ରୀ ପ୍ରଧାନଙ୍କୁ ଭେଟି ଲିଖିତ ଅଭିଯୋଗ  କରିଛନ୍ତି । ଏହା ସହ ହତ୍ୟା ଘଟଣାର ବିଧିବଦ୍ଧ ଭାବେ ତଦନ୍ତ କରି ଦୋଷୀ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.