ଆଜିର ଦିନରେ ଭାରତ ଦେଖିଥିଲା ଇଂରେଜଙ୍କ ନିଷ୍ଠୁରତା: ଜାଲିଆନଓ୍ୱାଲାବାଗରେ ପ୍ରାଣବଳି ଦେଇଥିଲେ ଶହଶହ ନିରସ୍ତ୍ର ଜନତା
13/04/2020 at 10:27 AM

ଜାଲିଆନଓ୍ୱାଲାବାଗ, ୧୩|୦୪: ସେଦିନ ଥିଲା ଏପ୍ରିଲ ୧୩ ତାରିଖ ୧୯୧୯ ମସିହା । ଭାରତ ଇଂରେଜ ଶାସନ ବିରୋଧରେ ଏକଜୁଟ ହେଉଥାଏ । କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ସମସ୍ତ ଭାରତୀୟଙ୍କ ହୃଦୟରେ ବ୍ରିଟିଶ ଶାସନ ବିରୋଧରେ ବହ୍ନି ଜଳୁଥାଏ । କିନ୍ତ ଏହି ଦିନ ଘଟିଥିଲା ଏକ ଲୋମହର୍ଷଣକାରୀ ଘଟଣା । ନିଷ୍ଠୁର ଇଂରେଜ ଜେନେରାଲ ନିଷ୍ଠୁରତାର ସମଗ୍ର ସୀମା ପାର୍ କରିଦେଇଥିଲେ । ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରୁଥିବା ଶହଶହ ନୀରିହ ଲୋକଙ୍କ ଉପରେ ଗୁଳି ବର୍ଷଣ କରିଥିଲେ । ଫଳରେ ୪୦୦ରୁ ଅଧିକ ସଂଗ୍ରାମୀ ପ୍ରାଣ ହରାଇଥିଲେ ।
ପଞ୍ଜାବର ଜାଲିଆନାଓ୍ୱାଲାବାଗରେ ଘଟିଥିଲା ଏହି ଘଟଣା । ଏହି ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦାୟିତ୍ୱ ଇଂରେଜ ସରକାର ନିଷ୍ଠୁର ଜେନେରାଲ ଡାୟାରଙ୍କୁ ଦେଇଥିଲେ । ସେ ସମସ୍ତ କାର୍ଯ୍ୟକଳାପ ଉପରେ ରୋକ ଲଗାଇଥିଲେ । ତେବେ ଜାଲିଆନାଓ୍ୱାଲାବାଦରେ ସଂକ୍ରାନ୍ତି ଉପଲକ୍ଷେ ହଜାର ହଜାର ଲୋକ ଏକତ୍ର ହୋଇଥିଲେ । ସେମାନେ ସତ୍ୟପାଲ ଓ ସଫିଉଦ୍ଦୀନଙ୍କ ଗିରଫଦାରୀକୁ ନିନ୍ଦା କରି ଶାନ୍ତିପୂର୍ଣ୍ଣ ଧାରଣା ଦେଉଥିଲେ । ଏହି ସ୍ଥାନଟି ଏକ ଦୁର୍ଗ ଭଳି ଥିଲା । ସେହି ସମୟରେ ଜେନେରାଲ ଡାୟାର ସୈନ୍ୟବାହିନୀ ଧରି ସେଠାରେ ପହଁଚିଥିଲେ ।ଏହି ସ୍ଥାନର ମୁଖ୍ୟ ପ୍ରବେଶ ଦ୍ୱାରକୁ ବନ୍ଦ କରିଦେଇଥିଲେ । ଏହାପରେ ସୈନ୍ୟବାହିନୀ ଧରି ନିରସ୍ତ୍ର ଜନତାଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ । କେହି କିଛି ବୁଝିବା ଆଗରୁ ଗୋଟିଏ ପରେ ଗୋଟିଏ ଏପରି ୪୦୦ରୁ ଅଧିକ ଜୀବନ ଚାଲିଗଲା । କେହି ଗୁଳିରେ ତ ପୁଣି ଅନେକ ଦଳଚକଟା ହୋଇ ଜୀବନ ହାରିଲେ । ମାତ୍ର ୧୦ ମିନିଟରେ ଏହି ସ୍ଥାନ ଶ୍ମଶାନ ପାଲଟିଗଲା ।

ଏହାପର ଦିନ ସେ ଦେଇଥିବା ରିପୋର୍ଟରେ ସୈନ୍ୟବାହିନୀ ୧୬୫୦ ରାଉଣ୍ଡ ଫାୟାର କରିଥିବା ଦାବି କରିଥିଲେ । ଏପରିକି ୨୦୦ରୁ ୩୦୦ଜଣଙ୍କୁ ହତ୍ୟା କରିଥିବା ମଧ୍ୟ ଗର୍ବରେ କହିଥିଲେ ।
ଏହି ଘଟଣା ବିଜୁଳି ବେଗରେ ସାରା ଦେଶରେ ବ୍ୟାପିଥିଲା । ଦେଶଭକ୍ତ ଓ ସଂଗ୍ରାମୀଙ୍କ ରକ୍ତ ତାତି ଉଠିଥିଲା । ଏହି ଘଟଣା ଇଂରେଜଙ୍କ ନିଷ୍ଠୁରତାର ସବୁଠାରୁ ବଡ ପ୍ରମାଣ ଥିଲା । ସେହିଦିନ ଦେଶାପାଇଁ ପ୍ରାଣବଳୀ ଦେଇଥିବା ଶହଶହ ଯୋଦ୍ଧାଙ୍କୁ ଆଜିର ଦିନରେ ସମସ୍ତେ ମନେ ପକାଇବା ସହ ଏପରି ଘଟଣାକୁ ନେଇ ବ୍ୟଥିତ ମଧ୍ୟ ହୁଅନ୍ତି ।