ପୋଲିସ ଓ ବ୍ରାଉନସୁଗାର ମାଫିଆ ମଧୁଚନ୍ଦ୍ରିକା, ଜଳେଶ୍ବର IIC ଧନେଶ୍ବର ସାହୁ ନିଲମ୍ବିତ

Published By : Prameya-News7 Bureau | August 15, 2020 IST

ଭୁବନେଶ୍ବର ୧୫।୮: ପୋଲିସ ଓ ବ୍ରାଉନସୁଗାର ମାଫିଆଙ୍କ କଥାବାର୍ତ୍ତାର ଅଡିଓ ଭାଇରାଲ୍ ଘଟଣାରେ ନିଲମ୍ବିତ ହେଲେ ଜଳେଶ୍ବର ଥାନା ଅଧିକାରୀ ଧନେଶ୍ବର ସାହୁ । ଥାନା ଅଧିକାରୀଙ୍କୁ ଡିଜିପି ଅଭୟ ନିଲମ୍ବିତ କରିଛନ୍ତି । ଏ ନେଇ ଡିଜିପି ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି । ପୋଲିସ ଓ ବ୍ରାଉନସୁଗାର ମାଫିଆଙ୍କ ମଧୁଚନ୍ଦ୍ରିକା ନେଇ ଖବର ପ୍ରସାରଣ କରିଥିଲା ନ୍ୟୁଜ୍‌ ୭ । ଖବର ପ୍ରସାରଣ ପରେ ଆକ୍ସନକୁ ଆସିଥିଲେ ପୂର୍ବାଞ୍ଚଳ ରେଂଜ୍‌ ଆଇଜି ଦୀପ୍ତେଶ ପଟ୍ଟନାୟକ । ତଦନ୍ତରେ ସାମ୍ନାକୁ ଆସିଥିବା ଫୋନ୍‌ କଲ୍‌ ଅଡିଓ ଜଳେଶ୍ବର ଥାନା ଅଧିକାରୀଙ୍କର ବୋଲି ସ୍ପଷ୍ଟ କରିଥିଲେ ଅତିରିକ୍ତ ଏସପି ।

wp:html /wp:html

ପୋଲିସ-ବ୍ରାଉନସୁଗାର ମାଫିଆଙ୍କ ମଧୁଚନ୍ଦ୍ରିକାର ଫର୍ଦ୍ଦାଫାସ୍‌ ।  ମୋଟା ଅଙ୍କର ବଟି ନେଇ ଧଳାଜହର ବେପାରୀଙ୍କୁ ସୁଯୋଗ ଦେଉଛନ୍ତି କିଛି ଅସାଧୁ ପୋଲିସ ଅଧିକାରୀ । ବାଲେଶ୍ବର ଜିଲ୍ଲା ଜଳଶ୍ବେର ଥାନା ଅଧିକାରୀ ଧନେଶ୍ବର ସାହୁଙ୍କ ସହ ବ୍ରାଉନସୁଗାର ମାଫିଆ ଏବଂ ଏମାନଙ୍କ ଭିତରେ ମଧ୍ୟସ୍ଥତା କରୁଥିବା ଜଣେ ଓକିଲଙ୍କ ଫୋନ୍‌ କଲ୍ ରେକର୍ଡ ସାମ୍ନାକୁ ଆସିବା ପରେ ସଂପୃକ୍ତ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଗକୁ ଆସିଥିଲେ ବିଭାଗୀୟ ଅଧିକାରୀ । ତଦନ୍ତ ପରେ ସଂପୃକ୍ତ ଅଡିଓରେ ଥିବା ଭଏସ୍‌ ଜଳେଶ୍ବର ଥାନା ଅଧିକାରୀ ଧନେଶ୍ବର ସାହୁଙ୍କର ବୋଲି ସ୍ପଷ୍ଟ କରିଛନ୍ତି ଅତିରିକ୍ତ ଏସପି ।

ଗତ ଗୁରୁବାର ପୋଲିସ-ଧଳାଜହର ମାଫିଆଙ୍କ ମଧୁଚନ୍ଦ୍ରିକାର ପୋଲ୍‌ ଖୋଲିଥିଲା ନ୍ୟୁଜ୍‌ ୭ । କେମିତି ଜଳେଶ୍ବର ପୋଲିସର ମିଲିଭଗତ୍‌ରେ ମାଫିଆମାନେ ବେଧଡକ ଭାବେ ବ୍ରାଉନସୁଗାର ଆଣୁଛନ୍ତି ତା’ର କଚ୍ଚାଚିଠା ଖୋଲିଥିଲା । କିଭଳି ଲକ୍ଷାଧିକ ଟଙ୍କା ବଟି ନେଇ ପୋଲିସ ଅପରାଧୀଙ୍କ ସହ ଡିଲ୍‌ କରୁଛି ତା’ର ପ୍ରମାଣ ରଖିଥିଲା ।

ବାଲେଶ୍ବର ଜଳେଶ୍ବର ଦେଇ ପଶ୍ଚିମବଙ୍ଗରୁ ଓଡିଶାକୁ ବିପୁଳ ପରିମାଣରେ ବ୍ରାଉନ୍‌ସୁଗାର ଚାଲାଣ ହେଉଥିବା ପୂର୍ବରୁ ଅନେକ ଥର ଖବର ପ୍ରସାରଣ କରିଥିଲା ନ୍ୟୁଜ୍‌ ୭ । ପୋଲିସ କେବଳ କିଛି ବ୍ରାଉନସୁଗାର ମାଫିଆଙ୍କୁ କବ୍‌ଜାକୁ ନେଇଥିଲେ ମଧ୍ୟ ବ୍ରାଉନ୍‌ସୁଗାର ଚାଲାଣ ଉପରେ ରୋକ୍‌ ଲାଗିପାରୁନଥିଲା । ପୋଲିସର ଏତେ କାର୍ଯ୍ୟାନୁଷ୍ଠାନ ପରେ ବି ମାଫିଆମାନେ କିଭଳି ବେଧଡକ ଭାବେ ଧଳାଜହର ଆଣୁଛନ୍ତି ତାକୁ ନେଇ ଦୀର୍ଘ ଦିନ ହେଲା ଖୋଳତାଡ କରୁଥିଲା ନ୍ୟୁଜ୍‌ ୭ ଟିମ୍‌ । ଶେଷରେ ନ୍ୟୁଜ୍‌ ୭ ହାତରେ ଲାଗିଥିଲା ସାଂଘାତିକ ଷଡ଼ଯନ୍ତ୍ରର ସୁରାକ୍‌ । କିଛି ଅସାଧୁ ପୋଲିସ ଅଧିକାରୀଙ୍କୁ ଲକ୍ଷାଧିକ ଟଙ୍କାର ହାତଗୁଞ୍ଜା ଦେଇ ବ୍ରାଉନ୍‌ସୁଗାର ମାଫିଆ ଏହି ବେଆଇନ୍ କାର୍ଯ୍ୟ ଚଳାଇ ଆସୁଛନ୍ତି । ଜଳେଶ୍ବର ଥାନା ଅଧିକାରୀଙ୍କ ଫୋନ୍‌ କଲ୍ ରେକର୍ଡ଼ ସବୁ କେଳେଙ୍କାରୀର ଖୁଲାସା କରିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.