ବଢୁଛି ଜଳକା, ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ

Published By : Prameya-News7 Bureau | August 07, 2018 IST

ଭୁବନେଶ୍ବର ୭/୮ : ଜଳକା ନଦୀର ଜଳସ୍ଥର ବୃଦ୍ଧି ପାଉଥିଲେ ମଧ୍ୟ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ । ଡେପୁଟି ରିଲିଫ କମିଶନର ଏହି ସୂଚନା ଦେଇଛନ୍ତି । ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାବେଳେ ୩ଟି ଜିଲ୍ଲା କଟକ, ପୁରୀ ଓ ଖୋର୍ଦ୍ଧାରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ତେଣୁ ଏହିସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । ତେବେ ବାଲେଶ୍ବର ଏବଂ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଧିକ ସତର୍କ ରହିବାକୁ ବିଭାଗ ପକ୍ଷରୁ କୁହାଯାଇଛି ।ଚଳିତ ଲଘୁଚାପ ଫଳରେ ୩ଟି ଜିଲ୍ଲାର ୧୨ଟି ବ୍ଲକ୍ ରେ ୧୦୦ମିମି ରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ପୁରୀ ସଦର ବ୍ଲକରେ ସର୍ବାଧିକ ୩୦୫ମିମି ବର୍ଷା ହୋଇଥିବା ବେଳେ ବାଙ୍କୀ ବ୍ଲକ୍ ରେ ୧୫୫ମିମି ବର୍ଷା ହୋଇଛି । ଭୁବନେଶ୍ବରରେ ଗତ ୨୪ଘଣ୍ଟା ମଧ୍ୟରେ ୧୪୧.୪ମିମି ବର୍ଷା ରେକର୍ଡ କରାଯାଇଥିବା ଡେପୁଟି ରିଲିଫ କମିଶନର ସୂଚନା ଦେଇଛନ୍ତି । ବର୍ଷା ସମ୍ଭାବନା ଥିବା ୧୦ଟି ଜିଲ୍ଲା ହେଲା ଯାଜପୁର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବୌଦ୍ଧ ଓ ସୋନପୁର ।ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାବେଳେ ଅନ୍ୟସବୁ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି ।ପୁରୀ, ଭୁବନେଶ୍ବର ଓ କଟକର କିଛି ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିବା ଡେପୁଟି ରିଲିଫ କମିଶନର ସୂଚନା ଦେଇଛନ୍ତି । ପୁରୀରେ ପ୍ରବଳ ବର୍ଷା ଯୋଗୁଁ ପୁରୀକୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଖୋର୍ଦ୍ଧାରୋଡ୍-ପୁରୀ ପାସେଞ୍ଜର, ପୁରୀ-ଗୁଣୁପୁର ପାସେଞ୍ଜରକୁ ଆଜି ବାତିଲ କରିଦିଆଯାଇଛି ।ପୁରୀ ଷ୍ଟେସନରେ ପାଣି ଜମି ରହିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ସେହିଭଳି ତାଳଚେର-ପୁରୀ ପାସେଞ୍ଜର ପୁରୀ ବଦଳା ମାଳତିପାଟପୁର ପର୍ଯ୍ୟନ୍ତ ଯିବ ।ଅନୁଗୁଳ-ପୁରୀ ପାସେଞ୍ଜର ପୁରୀ ବଦଳା ସାକ୍ଷୀଗୋପାଳ ପର୍ଯ୍ୟନ୍ତ ଯିବ ।ସମ୍ବଲପୁର-ପୁରୀ ଇଣ୍ଟରସିଟି ପୁରୀ ବଦଳା ଖୋର୍ଦ୍ଧାରୋଡ୍ ଠାରେ ଅଟକି ଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.