ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା : ସନ୍ଦେହ ଘେରରେ ସରପଞ୍ଚଙ୍କ ସ୍ବାମୀଙ୍କ ଭୂମିକା, ୫ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

Published By : Prameya-News7 Bureau | October 18, 2019 IST

ଯାଜପୁର ।୧୦: ଯାଜପୁର ଧର୍ମଶାଳା ହରିଦାସପୁର ପଞ୍ଚାୟତର ମହିଳା ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ବାଳଙ୍କର ଗେଷ୍ଟ ହାଉସରେ ମୃତ୍ୟୁ ନେଇ ସନ୍ଦେହ ଘନେଇବାରେ ଲାଗିଛି । ଏହି ମାମଲାରେ ୫ଜଣଙ୍କୁ ଅଟକ ରଖି ଧର୍ମଶାଳା ପୋଲିସ ପଚରାଉଚରା କରୁଥିବା ସୂଚନା ମିଳୁଛି । ସରପଂଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ସମେତ ଗେଷ୍ଟହାଉସରେ ଉପସ୍ଥିତ ଥିବା ୫ଜଣଙ୍କୁ ପୋଲିସ ପଚରାଉଚରା କରୁଛି ।

ସେହିପରି ଫରେନସିକ୍ ଟିମ୍ ଗେଷ୍ଟହାଉସରେ ଛାନଭିନ ଆରମ୍ଭ କରିଛନ୍ତି । ଶବ ବ୍ୟବଛେଦ ରିପୋର୍ଟ ଓ ଫରେନସିକ୍ ଟିମର ଅନୁସନ୍ଧାନକୁ ଭିତ୍ତିକରି ତଦନ୍ତ କରୁଛି ପୋଲିସ । ଏପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ଲାଗି ରହିଛି ।

ସ୍ମିତାରାଣୀ ବିଶ୍ବାଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗେଷ୍ଟ ହାଉସର ୟୁରିନାଲ ରୁମ୍ ରୁ ଉଦ୍ଧାର କରାଯାଇଥିଲା। ବେକରେ ଓଢ଼ଣୀ ବନ୍ଧା ଯାଇଥିବା ଅବସ୍ଥାରେ ମିଳିଥିଲା ମୃତଦେହ। ସ୍ମିତାରାଣୀ ହରିଦାସପୁର ପଞ୍ଚାୟତର ବାଲିଗରି ଗାଁରେ ଭତ୍ତା ବାଣ୍ଟିବା ପରେ ଦିନ ଗୋଟାଏ ବେଳେ ହରିଦାସପୁର ସରପଞ୍ଚଙ୍କର ସ୍ବାମୀଙ୍କର ଗେଷ୍ଟ ହାଉସକୁ ଫ୍ରେସ୍ ହେବାକୁ ଯାଇଥିଲେ। ଆଉ ସେହି ଗେଷ୍ଟ ହାଉସର ୟୁରିନାଲ ଭିତରୁ ତାଙ୍କର ଓଢ଼ଣୀରେ ଓହଳିଥିବା ମୃତଦେହ ଉଦ୍ଧାର କରାଯାଇଥିଲା। ସରପଞ୍ଚଙ୍କର ସ୍ବାମୀ ବାଥରୁମ୍ ଗେଷ୍ଟ ହାଉସ ଡୋର୍ ଭାଙ୍ଗି ବାଥରୁମରୁ ତାଙ୍କୁ ଉଦ୍ଧାର କରିଥିବା ବେଳେ ସେଠାରୁ ଧର୍ମଶାଳା ଡାକ୍ତରଖାନା ନେଇଥିଲେ।

ଏହି ଘଟଣାରେ ସରପଞ୍ଚଙ୍କର ସ୍ବାମୀଙ୍କର ଭୂମିକା ସନ୍ଦେହ ଘେରକୁ ଆସିଛି । ଡ୍ୟୁଟିରୁ ଫେରିଥିବା ମହିଳା କର୍ମଚାରୀ ଜଣଙ୍କର ଅଚାନକ କେମିତି ମୃତ୍ୟୁ ହେଲା , ତାହା ସନ୍ଦେହ ଘେରରେ । ଗେଷ୍ଟ ହାଉସର ୟୁରିନାଲ ରୁମ୍ ରେ ସେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ସରପଞ୍ଚଙ୍କର ସ୍ବାମୀ କହୁଥିବା ବେଳେ, ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.