ଦୁର୍ନୀତିର ଗନ୍ତାଘର ପାଲଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍: ଗରିବ ଗୁରୁବାଙ୍କୁ ମିଳୁନି ପିଡିଏସ୍‌ ଚାଉଳ ଏବଂ କିରୋସିନ୍‌

Published By : Prameya-News7 Bureau | May 26, 2020 IST

ଧର୍ମଶାଳା୨୬/୫: ଦୁର୍ନୀତିର ଗନ୍ତାଘର ପାଲଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌। ଗରିବ ଗୁରୁବାଙ୍କ ପାଇଁ ଆସୁଥିବା ପିଡିଏସ୍‌ ଚାଉଳ, କିରୋସିନ୍‌ ସେମାନଙ୍କୁ ମିଳୁନି । ଅସାଧୁ ଡିଲରମାନେ ବିଭିନ୍ନ ପ୍ରକାର ଆଳ ଦେଖାଇ ଏହାକୁ ହଡ଼ପ କରୁଥିବା ବେଳେ ସେମାନଙ୍କୁ ଏଥିରେ ସହଯୋଗ କରି ନିଜ ପକେଟ୍‌ ଗରମ କରୁଛନ୍ତି କିଛି ସରକାରୀ ଅଧିକାରୀ । ମାଳ ମାଳ ଅଭିଯୋଗ ପରେ ବି ଦୋଷୀଙ୍କ ବିରୋଧରେ ହେଉନି କୌଣସି କାର୍ଯ୍ୟାନୁଷ୍ଠାନ । ଫଳରେ ନ୍ୟାୟ ପାଇଁ  ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେଣି ହିତାଧିକାରୀ । ସରକାର ଦେଉଛନ୍ତି। ହେଲେ ଗରିବ ପାଉନାହାନ୍ତି । ଗରିବଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହଡ଼ପ କରିନେଉଛନ୍ତି ଅସାଧୁ ଡିଲର । ପିଡିଏସ୍‌ ଚାଉଳ ହେଉ କି କିରୋସିନ୍‌ । ଏସବୁ ପାଇବାର ହକ୍‌ରୁ ବଞ୍ଚିତ ହେଉଛନ୍ତି ଗରିବ ହିତାଧିକାରୀ ।

{"id":276572,"sizeSlug":"large"}

ବର୍ଷ ବର୍ଷ ଧରି ଗରିବଙ୍କ ହକ୍‌ ଲୁଟୁଥିବା ଅସାଧୁ ଡିଲରଙ୍କ ବିରୋଧରେ ଯେତେ ଅଭିଯୋଗ କଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନି । ହେବ ବା କେମିତି ?  ଯେତେବେଳେ ଖୋଦ୍‌ କିଛି ଦୁର୍ନୀତି ଖୋର୍‌ ସରକାରୀ କର୍ମଚାରୀ  ନିଜ ପକେଟ୍‌ ଗରମ କରିବାକୁ ଏଭଳି ଅସାଧୁ ଡିଲରଙ୍କ ସାଥ୍‌ ଦେଉଛନ୍ତି । ଯାଜପୁର ଜିଲ୍ଲା ଧମଶାଳା ବ୍ଲକରେ ଦୀର୍ଘ ଦିନ ଧରି ଏଭଳି ଦୁର୍ନୀତି ଅଭିଯୋଗ ହୋଇଆସୁଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି । ଏମିତିକି ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ସ୍ଥାନୀୟ ଅଂଚଳର ଜଣେ ସାମାଜିକ କର୍ମୀ । ସେପଟେ କିନ୍ତୁ ଏଭଳି ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ଧର୍ମଶାଳା ଏମଆଇ । 

ଏଠି ତେଲିଆ ମୁଣ୍ଡରେ ତେଲ ନ୍ୟାୟରେ ଚାଲିଛି ସରକାରୀ ଯୋଜନା। ଯାହାର ଅଛି ସେ ସବୁ ସୁବିଧା ପାଉଛି । ଆଉ ଯାହାର ନାହିଁ ସେ ପେଟରେ  ଓଦା କନା ପକାଇ ଚୁପ୍‌ ରହିବାକୁ ବାଧ୍ୟ ହେଉଛି । ଆଉ ଯେଉଁମାନଙ୍କ ହାତରେ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାର ଠିକା ଦିଆଯାଇଛି ସେଇ ମାନେ ହିଁ ସବୁକିଛି ହଡ଼ପ କରି ନିଜ ବ୍ୟାଙ୍କ ବାଲାନ୍ସ ବଢ଼ାଇବାରେ ମାତିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.