କେବେ ସାରିବା ସେତୁ କାମ ତାର କିଛି ଠିକଣା ନାହିଁ - ଯାଜପୁର

Published By : Prameya-News7 Bureau | August 10, 2018 IST

ଯାଜପୁର ୧୦/୮ :- ୭ ବର୍ଷ ତଳେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା ,କିନ୍ତୁ ଏଯାଅଁ ସରିନି ଦୁଧେଇ ନଦୀ ଉପରେ ହେଉଥିବା ସେତୁ । ଟେଣ୍ଡରର ୭୦ ଭାଗରୁ ଅଧିକ ଅର୍ଥ ନେଇସାରିଲେଣି ଠିକାଦାର । ଅଥଚ କାମ ଅଧାପନ୍ତରିଆ । ଦୁଇଟି ଗାଁର ଲୋକେ ଜୀବନକୁ ପାଣି ଛଡେଇ ହୁଲି ଡଙ୍ଗାରେ ଦୁଧେଇ ନଦୀ ପାର୍ ହେଉଛନ୍ତି । ସମସ୍ୟା ସୁଧୁରୁନି, ଠିକାଦାରଙ୍କ କଥା ପଡିଲା ବେଳକୁ ହାତ ଟେକି ଦେଉଛି ଗ୍ରାମ୍ୟ ଉନ୍ନୟନ ବିଭାଗ ।ଦୁଧେଇ ସେତୁ ସରୁନି, ଲୋକଙ୍କ ଦୁର୍ଦ୍ଦଶା ଯାଉନି । ଯାଜପୁର ଜିଲ୍ଲାର ବରୀ ବ୍ଲକ ବାଲିବିଲି ପଞ୍ଚାୟତ ଦେଇ ପ୍ରବାହିତ “ଦୁଧେଇ ନଦୀ” ଉପରେ ନିର୍ମାଣାଧିନ ସେତୁ କାମ ସରୁନି। ୨୦୧୧ ମସିହାରେ ବରି ବିଧାୟକ ଦେବାଶିଷ ନାୟକ ଏହି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ମୋଟ ୫କୋଟି ୭୬ ଲକ୍ଷ ଖର୍ଚ୍ଚ ଅଟକଳର ଏହି ସେତୁର ଟେଣ୍ଡର ପାଇଥିବା ଠିକାଦାର ସଂସ୍ଥାକୁ ୩କୋଟି ୯୩ଲକ୍ଷ ଟଙ୍କା ମଞ୍ଜୁର ହୋଇସାରିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଏତେ ଟଙ୍କା ଦେଇସାରିଥିଲେ ବି ସେତୁ କାମ ଆଧା ହୋଇନି । ଫଳରେ ଏହି ଦୁଧେଇ ନଦୀ ତଟବର୍ତ୍ତି ଢିଅସହି ଓ ବାଲିବିଲି ଗାଁ ଲୋକେ ଏବେ ବି ହୁଲି ଡଙ୍ଗାରେ ନଦୀ ପାର ହେଉଛନ୍ତି । ୨୫ରୁ ୩୦ ଲୋକ ବିପଦସଂକୁଳ ଅବସ୍ଥାରେ ଥରକେ ନଦୀ ପାର ହୁଅନ୍ତି ।ପ୍ରଶାସନ ଓ ବିଭାଗୀୟ ଯନ୍ତ୍ରୀଙ୍କୁ ଗୁହାରି କରିବି ଶୁଣୁ ନାହାନ୍ତି କେହି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.