ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହେବେନି ଜୈଟଲୀ, କୌଣସି ଦାୟିତ୍ବ ନେବାକୁ ବି ଜଣାଇଲେ ଅକ୍ଷମତା,ଜାଣନ୍ତୁ କାରଣ

Published By : Prameya-News7 Bureau | May 29, 2019 IST

ନୂଆଦିଲ୍ଲୀ ୨୯।୫:   ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବେନି ଅଋଣ ଜୈଟଲୀ। ସେହିପରି ମୋଦିଙ୍କ ନୂଆ ସରକାରରେ ସେ କୌଣସି ପ୍ରକାର ଦାୟିତ୍ବ ନେବାକୁ ବି ଅକ୍ଷମ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି।  ଶାରୀରିକ ଅସୁସ୍ଥତା କାରଣରୁ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ  କୌଣସି ପ୍ରକାର ଦାୟିତ୍ବ ନେବାକୁ ଏବେ ସକ୍ଷମ ନୁହନ୍ତି ବୋଲି ତାଙ୍କ ପତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । ତାଙ୍କୁ ସୁସ୍ଥ ହେବାକୁ ଆହୁରି ଅନେକ ସମୟ ଲାଗିବ। ଏଥିପାଇଁ ନୂଆ ସରକାରରେ ତାଙ୍କ ଉପରେ କୌଣସି ଦାୟିତ୍ବ ନ୍ୟସ୍ତ ନ କରିବା ଲାଗି ସେ ପତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

{"id":117243}

ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଗତ ୫ ବର୍ଷଧରି ଆପଣଙ୍କ ସରକାରରେ ଏକ ଅଂଶ ହେବା ମୋପାଇଁ ଅତ୍ୟନ୍ତ ସମ୍ମାନର ବିଷୟ ହେବା ସହ ଅନେକ କିଛି ଶିଖିବାର ଅବସର ବି ମିଳିଥିଲା ବୋଲି ଜୈଟଲୀ ଉଲ୍ଲେଖ କରିଛନ୍ତି। ଏହା ପୂର୍ବରୁ ଏନଡିଏ ସରକାରରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଥିଲି।  ଏହାଛଡା  ପାର୍ଟି, ସଙ୍ଗଠନ ଓ ବିରୋଧୀ ଦଳରେ ଥିବା ବେଳେ ଅନେକ କିଛି ଶିଖିବାର ସୁଯୋଗ ମୋତେ ମିଳିଥିଲା। ଶିଖିବାକୁ ଏବେବି ମୋର ଭୋକ ରହିଛି, ହେଲେ ଗତ ୮ ମାସ ହେଲା ଦେଖାଦେଇଥିବା ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ମୁଁ ଏବେ କୌଣସି ପ୍ରକାର ଦାୟିତ୍ବନେବା ପରିସ୍ଥିତିରେ ନାହିଁ। ଆପଣଙ୍କର ଗତ କେଦାରନାଥ ଯାତ୍ରା ସମୟରେ ମୁଁ ଏ ସମ୍ପର୍କରେ ଆପଣଙ୍କୁ ଜଣାଇ ସାରିଛି। ଏଣୁ ନୂଆ ସରକାରରେ ମୋତେ କୌଣସି ଦାୟିତ୍ବ ଦିଆ ନଯାଉ। ତେବେ ଅନୌପଚାରିକ ଭାବେ ସରକାରଙ୍କ ସମର୍ଥନରେ ଯେକୌଣସି ଦାୟିତ୍ବ ପାଳନ କରିବାକୁ ମୁଁ ସର୍ବଦା ପ୍ରସ୍ତୁତ ବୋଲି ଜୈଟଲୀ ତାଙ୍କ ପତ୍ରରେ ମୋଦିଙ୍କୁ ଜଣାଇଛନ୍ତି।

{"id":117244}

ସୂଚନା ଯୋଗ୍ୟଯେ ମୋଦିଙ୍କ ଗତ ସରକାରରେ ଅର୍ଥମନ୍ତ୍ରାଳୟ ଦାୟିତ୍ବରେ ଥିବା ଜୈଟଲୀ ଅସୁସ୍ଥତା ଯୋଗୁ ସଂସଦରେ ସରକାରଙ୍କର ଷଷ୍ଠ ତଥା ଅନ୍ତିମ ବଜେଟ ଉପସ୍ଥାପନା କରିପାରିନଥିଲେ। କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ ଅର୍ଥମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ ନେଇ ଗୃହରେ ବଜେଟ ଉପସ୍ଥାପନା କରିଥିଲେ। ଏହି ସମୟରେ ଜୈଟଲୀ ଚିକିତ୍ସା ନିମନ୍ତେ ୪ ସପ୍ତାହ ଆମେରିକାରେ ଅବସ୍ଥାନ କରୁଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.