ଭାରତ ଉପରେ ପୁଣି ଆକ୍ରମଣ କରିବ ଜୈଶ୍-ଇ-ମହମ୍ମଦ, ବାଲାକୋଟ୍‌ କ୍ୟାମ୍ପ୍‌ରେ ୨୭ଆତଙ୍କବାଦୀ ନେଉଛନ୍ତି ତାଲିମ୍

Published By : Prameya-News7 Bureau | February 07, 2020 IST

ନୂଆଦିଲ୍ଲୀ ୭।୨: ସୀମା ଆରପଟେ ପୁଣି ଆତଙ୍କବାଦୀ ଶିବିର ସକ୍ରିୟ । ପାକ୍ ସମର୍ଥିତ ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀ ଭାରତ ବିରୋଧୀ ଅଭିଯାନ ଲାଗି ତାଲିମ ନେଉଥିବା ସୂଚନା ମିଳିଛି । ପାକିସ୍ତାନ ବାଲାକୋଟ୍ ରେ ଥିବା ଜୈଶ୍-ଇ-ମହମ୍ମଦର ଯେଉଁ ଆତଙ୍କବାଦୀ କ୍ୟାମ୍ପରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍ କରି ଧ୍ବଂସ କରିଦେଇଥିଲା ତାହା ଏବେ ପୁଣି ସକ୍ରିୟ ହୋଇଉଠିଥିବା ବେଳେ ଆସିଛି ଏପରି ସୂଚନା । ଭାରତରେ ଆତଙ୍କବାଦୀ ଆକ୍ରମଣ କରବାକୁ ଜୈଶ୍-ଇ-ମହମ୍ମଦର ଏହି କ୍ୟାମ୍ପ୍‌ରେ ୨୭ ଜଣ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏଭଳି ସୂଚନା ଗୁଇନ୍ଦା ବିଭାଗ ଏବଂ କାଉଣ୍ଟର ଟେରର ଅପରେଟିଭସ ପକ୍ଷରୁ ମିଳିଛି ।

ଗତବର୍ଷ ଫେବୃଆରୀରେ ଜମ୍ମୁକାଶ୍ମୀର ପୁଲଓ୍ବାମାରେ ସିଆରପିଏଫର ଫୌଜ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏୟାର ଷ୍ଟ୍ରାଇକ୍ କରିଥିଲା । ଭାରତୀୟ ବାୟୁସେନା ଆକ୍ରମଣ କରି ଜୈଶ୍-ଏ-ମହମ୍ମଦର କ୍ୟାମ୍ପ୍‌କୁ ଧ୍ବଂସ କରିଦେଇଥିଲା । ଏହି ସମୟରେ ଜୈଶ୍ କ୍ୟାମ୍ପ୍‌ରେ ପ୍ରାୟ ୩ଶହ ଆତଙ୍କବାଦୀ ଟ୍ରେନିଂ ନେଉଥିଲେ । ମାତ୍ର ଏବେ ଜୈଶ୍ ସଂଗଠନ ପୁଣି ସକ୍ରିୟ ହୋଇଛି । ବାଲାକୋଟ୍ ର ଏହି କ୍ୟାମ୍ପ୍‌କୁ ଆତଙ୍କବାଦୀ ମସୁଦ ଆଝାର ପୁଅ ୟୁସୁଫ ଆଝାର ପରିଚାଳନା କରୁଛି ।

ବାଲାକୋଟ୍ କ୍ୟାମ୍ପ୍‌ରେ ଟ୍ରେନିଂ ନେଉଥିବା ୨୭ ଆତଙ୍କବାଦୀଙ୍କ ମଧ୍ୟରୁ ୮ଜଣ ପାକିସ୍ତାନ ଅଧିକୃତ କାଶ୍ମୀରର ବୋଲି ଜଣାପଡିଛି । ଏହି ଆତଙ୍କବାଦୀମାନଙ୍କୁ ପାକିସ୍ତାନ ସ୍ଥିତ ପଞ୍ଜାବର ଦୁଇ ଜଣ ଏବଂ ଆଫଗାନିସ୍ତାନର ତନି ଜଣ ପ୍ରଶିକ୍ଷକ ଟ୍ରେନିଂ ଦେଉଛନ୍ତି । ସୂଚନା ମୁତାବକ ଏହି ସପ୍ତାହରେ ସେମାନଙ୍କର ଟ୍ରେନିଂ ଶେଷ ହୋଇଯିବ । ଏହାପରେ ଏହି ଆତଙ୍କବାଦୀମାନେ ଭାରତରେ ପ୍ରବେଶ କରିପାରନ୍ତି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଫେବୃଆରୀ ୧୪ ତାରିଖରେ ଜାମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀମାନେ ସିଆରପିଏଫ୍ ଫୌଜ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣରେ ପ୍ରାୟ ୪୦ରୁ ଅଧିକ ଯବାନ ଶହୀଦ ହୋଇଥିଲେ । ପୁଲଓ୍ବାମା ଆକ୍ରମଣ ପରେ ୨୬ ଫେବୃଆରୀରେ ଭାରତୀୟ ବାୟୁସେନାର ଲଢୁଆ ବିମାନ ପାକିସ୍ତାର ବାଲାକୋଟ୍‌ରେ ଜୈଶ୍-ଇ-ମହମ୍ମଦ ଆତଙ୍କୀ କ୍ୟାମ୍ପ୍‌ରେ ଏୟାର ଷ୍ଟ୍ରାଇକ୍ କରି କ୍ୟାମ୍ପ୍‌କୁ ଧ୍ବଂସ କରିଦେଇଥିଲା । ପାକିସ୍ତାନ ଏହାକୁ ଗ୍ରହଣ କରୁନଥିବା ବେଳେ ଭାରତ ସରକାର ଏହାର ପ୍ରାମାଣ ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.