ପୁଲୱାମାରୁ ବି ବଡ ଆତଙ୍କୀ ଆକ୍ରମଣ ପାଇଁ ପୁଣି ଯୋଜନା ! ୫୦୦ କିଗ୍ରା ଆରଡିଏକ୍ସ ହେବ ବ୍ୟବହାର: ଆଇବି
21/02/2019 at 1:16 PM

ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରରେ ଲୁହ ଶୁଖିନଥିବାବେଳେ ଆଉ ଏକ ନୂଆ ବିପଦ ମାଡ଼ିଆସୁଛି। ଗୁଇନ୍ଦା ସୂତ୍ରରୁ ଜଣା ପଡ଼ିଛି ଯେ ଜୈସ –ଏ-ମହମ୍ମଦ ପୁଲଓ୍ବାମା ଆକ୍ରମଣଠୁ ବି ବଡ଼ ଆକ୍ରମଣ ପୁଣି କରିପାରେ। ଏହି ଆକ୍ରମଣ ଆଗାମୀ ଦୁଇ ତିନି ଦିନ ମଧ୍ୟରେ ହୋଇପାରେ ବୋଲି ସୂଚନା ମିଳିଛି। ଯେଉଁଥିପାଇଁ ଗାଡ଼ି ମଧ୍ୟ ପ୍ରସ୍ତୁତ କରାଯାଇଛି। ଗୁଇନ୍ଦା ସଙ୍ଗଠନ ଆଇବିରୁ ସୂଚନା ମିଳିଛି ଯେ କାଶ୍ମୀରର ଚୈାକିବଲ ଏବଂ ତଙ୍ଗଧାରରେ ଆଇଇଡି ବ୍ଲାଷ୍ଟ ଜରିଆରେ ଆକ୍ରମଣ କରିବାର ଷଡ଼ଯନ୍ତ୍ର ରଚିଛି ଜୈସ।
ଅଧିକ ସୂଚନା ମିଳିବା ପରେ ଗୁଇନ୍ଦା ବିଭାଗ ସୁରକ୍ଷାକର୍ମୀଙ୍କୁ ସତର୍କ ରହିବାକୁ କହିଛି। ସୂଚନା ଅନୁସାରେ ଜୈସର ଆତଙ୍କବାଦୀ ଦ୍ବାରା ଏକ ଗାଡ଼ିକୁ ପ୍ରସ୍ତୁତ କରାଯାଇଛି। ଯାହା ଦ୍ବାରା ଆଇଇଡି ବ୍ଲାଷ୍ଟ ଦ୍ବାରା ଆଉ ଥରେ ସୁରକ୍ଷାକର୍ମୀ ବାହିନୀକୁ ଟାର୍ଗେଟ୍ କରାଯାଇପାରିବ।
ଏହି ଆକ୍ରମଣ ପାଇଁ ସବୁଜ ରଙ୍ଗର ଏକ ସ୍କୋର୍ପିଓ ଗାଡ଼ିକୁ ପ୍ରସ୍ତୁତ କରାଯାଇଛି ଯାହା ଫଳରେ ଆଉଥରେ ପୁଲଓ୍ବାମା ଭଳି ଆଉ ଏକ ଆତଙ୍କବାଦୀ ଆକ୍ରମଣ କରାଯିବ। ପୁଲଓ୍ବାମା ଆକ୍ରମଣରେ ୨୦୦କିଲୋଗ୍ରାମ୍ ବିସ୍ଫୋରକ ବ୍ୟବହାର କରାଯାଇଥିଲା,କିନ୍ତୁ ଏହି ଆକ୍ରମଣରେ ୫୦୦କିଲୋଗ୍ରାମର ବିସ୍ଫୋରକର ବ୍ୟବହାର କରାଯାଇପାରେ।
ଏହି ସୂଚନାରେ କୁହାଯାଇଛି ଯେ କାଶ୍ମୀର ଲୋକଙ୍କୁ ଟାର୍ଗେଟ କରିବା ସେନା ବନ୍ଦ କରିବା ଉଚିତ୍ ବୋଲି ପରାମର୍ଶ ଦିଆଯାଇଛି। କେତେକ କାଶ୍ମୀର ଲୋକଙ୍କୁ ଆତଙ୍କବାଦୀ କରିବାକୁ ଯୋଜନା କରାଯାଉଛି। ସୀମା ସେପଟେ ୫-୬ଜଣ ଆତଙ୍କବାଦୀ ଅନୁପ୍ରବେଶ ନିମନ୍ତେ ଗୁରେଜ ସେକ୍ଟର ପାଖରେ ବସି ରହିଛନ୍ତି ଯେଉଁମାନେ ଆଦେଶ ମିଳିବା ମାତ୍ରେ ଭାରତକୁ ପ୍ରବେଶ କରିବେ।