ମାସୁଦ ମୃତ୍ୟୁ ନେଇ ସସପେନ୍ସ : ମୃତ୍ୟୁ ଖବରକୁ ଖଣ୍ଡନ କଲା ଜୈସ୍-ଏ-ମହମ୍ମଦ

Published By : Prameya-News7 Bureau | March 04, 2019 IST

ନୂଆଦିଲ୍ଲୀ ୪|୩ : ପୁଲୱାମା ହମଲାର ମାଷ୍ଟର ମାଇଣ୍ଡ ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ ଆଝାର ମୃତ ନା ଜୀବିତ, ଏନେଇ ସସପେନ୍ସ ଜାରି ରହିଛି । ମାସୁଦର ମୃତ୍ୟୁ ହୋଇଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି । କେଉଁ କାରଣରୁ ତା’ର ମୃତ୍ୟୁ ହେଲା, ଏ ନେଇ କିଛି ଉଲ୍ଲେଖ କରାଯାଇନାହିଁ । ସେପଟେ ମାସୁଦ ଆଝାରର ମୃତ୍ୟୁ ଖବରକୁ ଖଣ୍ଡନ କରିଛି ଜୈଶ-ଏ-ମହମ୍ମଦ । ମସୁଦକୁ ନେଇ ବିଭିନ୍ନ ଅଟକଳ ଚାଲିଛି । ବାଲାକୋଟ ଆତଙ୍କୀ ଶିବିରରେ ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକରେ ମାସୁଦର ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଥିଲା ।

ପୁଣି କିଡନୀ ଜନିତ ରୋଗରେ ମୃତ୍ୟୁ ହୋଇଥିବା କିଛି ଗଣମାଧ୍ୟମ ପ୍ରକାଶ କରିଥିଲେ । ତେବେ ଏହା ଭିତରେ ମସୁଦକୁ ରାଓଲପିଣ୍ଡି ସେନା ହସପିଟାଲରୁ ବାହାବରପୁର ଜୈଶ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ମାସୁଦ ଆଝାର ଭାରତର ମୋଷ୍ଟ ୱାଂଟେଡ୍ ଆତଙ୍କବାଦୀ । ୨୦୦୧ ପାର୍ଲାମେଂଟ ଆକ୍ରମଣ ଠାରୁ ଆରମ୍ଭ କରି ପଠାନକୋର୍ଟ, ଉରି ହମଲାରେ ତା’ର ହାତ ଥିବା ଅଭିଯୋଗ ରହିଛି । ତା’ରି ଇସାରାରେ ପୁଲୱାମା ହମଲା ହୋଇଥିଲା ବୋଲି ଅଭିଯୋଗ କରି ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲା ଭାରତ । ନିକଟରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମଧ୍ୟ ସ୍ୱୀକାର କରିଥିଲେ ଯେ ମାସୁଦ ପାକିସ୍ତାନରେ ଅଛି ଓ ଭୀଷଣ ଅସୁସ୍ଥ ଥିବାରୁ ଘରୁ ବାହାରି ପାରୁନାହିଁ ।

ତେବେ ମାସୁଦକୁ ପାକିସ୍ତାନ କଡା ସୁରକ୍ଷା ବ୍ୟବସ୍ଥା କରିଥିବା ମଧ୍ୟ ସୂଚନା ମିଳୁଛି । ମସୁଦଙ୍କୁ ବିଶ୍ୱ ଆତଂକବାଦୀ ତାଲିକାରେ ସାମିଲ ସହ ତା ଉପରେ କଟକଣା ଲଗାଇବାକୁ ଦାବି କରି ପୂର୍ବରୁ ଅନେକଥର ଜାତିସଂଘରେ ପ୍ରସ୍ତାବ ଆସିଛି । ତେବେ ପାକସ୍ତାନର ବିରୋଧ ଓ ଚୀନର ଭିଟୋ ପାୱାର ଯୋଗୁଁ ଏହା ସମ୍ଭବ ହୋଇ ପାରି ନାହିଁ । ଗତ ସପ୍ତାହରେ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ମସୁଦ୍ ଓ ତାର ସଂଗଠନକୁ କଳାତାଲିକା ଭୁକ୍ତ କରିବାକୁ ଜାତିସଂଘରେ ପ୍ରସ୍ତାବ ଆଣିଥଲେ । ୧୦ ବର୍ଷ ମଧ୍ୟରେ ମସୁଦକୁ ଆନ୍ତର୍ଜାତୀୟ କଳା ତାଲିକାଭୁକ୍ତ କରିବାକୁ ୪ଥର ପ୍ରସ୍ତାବ ଆସିଛି ।

ହେଲେ ସବୁଥର ପରି ଚୀନର ବିରୋଧ ଯୋଗୁଁ ପାରିତ ହୋଇ ପାରି ନଥିଲା । କିନ୍ତୁ ଏଥର ଚୀନ ନୀରବ ରହିଛି । ତେବେ ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ ପ୍ରସ୍ତାବ ନେଇ ନିଜର ମତ ରଖିପାରିବେ ଜାତୀୟ ସୁରକ୍ଷା ପରିଷଦର ସଦସ୍ୟ ରାଷ୍ଟ୍ର । ମାସୁଦ ଆଝାର ଓ ଜୈସ୍ -ଏ-ମହମ୍ମଦ ଉପରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେଇ ଅନ୍ତର୍ଜାତୀୟ ଚାପ ବଢୁଥିବା ବେଳେ ମାସୁଦର ମୃତ୍ୟୁ ଖବରରୁ ପ୍ରଚାର କରିବାରେ ପାକିସ୍ତାନର ଚାଲାକି ଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.