ଆଫଗାନିସ୍ତାନରେ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ନୂଆ ଶିବିର : କାଶ୍ମୀରରେ ହମଲା କରିବା ପାଇଁ ୪୦୦ ଆତଙ୍କୀ ପ୍ରସ୍ତୁତ

Published By : Prameya-News7 Bureau | May 06, 2020 IST

ଶ୍ରୀନଗର ୦୬/୦୫ : ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ହଟାଇ ଦିଆଯିବ ପରେ ପାକିସ୍ତାନ ବ୍ୟସ୍ତ ହୋଇପଡିଛି | ଭାରତୀୟ ସେନା କୋଣ ଅନୁକୋଣରେ ନଜର ରଖିଥିବା ହେତୁ ଆତଙ୍କବାଦୀଙ୍କ ଅନୁପ୍ରବେଶରେ ମଧ୍ୟ ରୋକ ଲାଗିଛି | ସେଥିପାଇଁ ଜାମ୍ମୁ କାଶ୍ମୀରକୁ ଟାର୍ଗେଟ କରି ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଆଫଗାନିସ୍ତାନରେ ନିଜର ନୂଆ ପ୍ରଶିକ୍ଷଣ ଶିବିର ତିଆରି କରିଛି | ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ବିସ୍ତାର କରିବା ପାଇଁ ଏହି ଶିବିରରେ ୪୦୦ ଆତଙ୍କବାଦୀଙ୍କୁ ଟ୍ରେନିଂ ଦିଆଯାଉଛି | କାଶ୍ମୀର ଘାଟିରେ ଆତଙ୍କ ସୃଷ୍ଟି କରିବା ପୂର୍ବରୁ ଏହି ସମସ୍ତ ଆତଙ୍କବାଦୀଙ୍କୁ ତାଲିବାନ ୟୁନିଟରେ ନିୟୋଜିତ କରାଯାଇଥିଲା | 

ଖବର ଅନୁଯାୟୀ, ଆଫଗାନିସ୍ତାନର ସୁରକ୍ଷାକର୍ମୀଙ୍କୁ ଗତ ମାସରେ ଏପ୍ରିଲ ୧୨ ତାରିଖରେ ଆତଙ୍କବାଦ ନିରୋଧ ମିଶନ ବେଳେ ଏକ ଆତଙ୍କୀ ଶିବିର ନଜର ଆସିଥିଲା | ଏହାପରେ ଏହି ଶିବିରରେ ଆକ୍ରମଣ କରି ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା | ଗିରଫ ଆତଙ୍କବାଦୀଙ୍କୁ ପଚରାଉଚୁରା ପରେ ଜଣାପଡିଥିଲା ଯେ, ସେଠାରେ ୬ରୁ ଅଧିକ ଆତଙ୍କୀ ଶିବିର ତିଆରି କରାଯାଇଛି | ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ସେଠାରେ ୪୦୦ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଇ ପ୍ରସ୍ତୁତ କରିଛି | ଏମାନେ ଯେକୌଣସି ସମୟରେ କାଶ୍ମୀରରେ ଆତଙ୍କ ସୃଷ୍ଟି କରିପାରନ୍ତି | ଫେବୃଆରୀ ୨୯ ତାରିଖରେ ଆମେରିକା ଓ ତାଲିବାନ ମଧ୍ୟରେ ହୋଇଥିବା ବୁଝାମଣା ପରେ ଏହି ଶିବିର ଆରମ୍ଭ ହୋଇଥିଲା |

କାବୁଲରେ ଥିବା ଏକ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ଜୈସର ଏହି ଆତଙ୍କବାଦୀଙ୍କୁ ପୂର୍ବାଞ୍ଚଳ ଆଫଗାନିସ୍ତାନର ଖୋସ୍ତ ରୁ ଜଲାଲାବାଦ ଏବଂ ପାକିସ୍ତାନ ସୀମା ନିକଟବର୍ତ୍ତୀ କନ୍ଧାର ଅଞ୍ଚଳରେ ତାଲିବାନ ୟୁନିଟ ସହ ନିୟୋଜିତ କରାଯାଇଛି | କାଶ୍ମୀରରେ ଆତଙ୍କ ସୃଷ୍ଟି କରିବା ପାଇଁ ଏମାନଙ୍କୁ ଏହି ଶିବିରରେ ଟ୍ରେନିଂ ଦିଆଯାଉଛି | ଏହି ୟୁନିଟ ଜରିଆରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ, ତାଲିବାନ ଓ ଜୈସ-ଏ-ମହମ୍ମଦ ମଧ୍ୟରେ ଯୋଗାଯୋଗ ସ୍ଥାପନ କରୁଛି |

ଆତଙ୍କବାଦୀ ଶିବିରରୁ ଗିରଫ କରାଯାଇଥିବା ଜୈସର ଆତଙ୍କବାଦୀ ଜେରାର କହିଛି ଯେ, କାଶ୍ମୀରରେ ହମଲା କରିବା ପାଇଁ ଏହି ଶିବିରରେ ଆତଙ୍କବାଦୀମାନଙ୍କୁ ପ୍ରସ୍ତୁତ କରାଯାଉଛି | ଏହି ସବୁ ଶିବିରରେ ଟ୍ରେନିଂ, ଅସ୍ତ୍ର ଓ ଟଙ୍କା ପାକିସ୍ତାନ ତରଫରୁ ଆସୁଛି | ଜେରାର ମଧ୍ୟ ପାକିସ୍ତାନ ରାଜଧାନୀ ଇସଲାମାଵାଦରେ ରହେ | ତାକୁ ଏପ୍ରିଲ ୧୫ ତାରିଖରେ ଗିରଫ କରାଯାଇଥିଲା |

ସୂଚନା ଅନୁଯାୟୀ, ଆଫଗାନିସ୍ତାନରେ ଥିବା ଏହି ଆତଙ୍କୀ ଶିବିରର ସମସ୍ତ ଦାୟିତ୍ୱ ଆତଙ୍କବାଦୀ ମାସୁଦ ଅଜହର ନିଜ ସାନ ଭାଇ ମୁଫତି ଅବଦୁଲକୁ ଦେଇଛି | ମାସୁଦ ଅଜହର ଅସୁସ୍ଥ ହେବାପରେ ମୁଫତି ଅବଦୁଲ ଅଜହରର ସବୁ କାମ ଦେଖାରେଖା କରୁଛି | ମାସୁଦ ଅଜହରର ବଡ ଭାଇ ଇବ୍ରାହିମ ଅଜହରକୁ ଆଫଗାନିସ୍ତାନର ଗଜନି ସହରରେ ଦେଖିବାକୁ ମିଳିଥିଲା | ତାଲିବାନ ସହ ସମ୍ପର୍କ ମଜବୁତ କରିବାରେ ସେ ଉଦ୍ୟମ କରୁଥିବା ସନ୍ଦେହ କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.