ମନ୍ଦିର କାମ ଚାଲିଥିବା ବେଳେ ମିଳିଲା ପୁରାତନ ଜୈନ ମୂର୍ତ୍ତି, ଦେଖିବାକୁ ଲାଗିଲା ଲୋକଙ୍କ ଭିଡ
19/12/2020 at 11:54 AM

ଜୟପୁର ୧୯।୧୨: ମନ୍ଦିର ନିର୍ମାଣ ନିମନ୍ତେ ପାହାଡ ଖୋଳାଯାଉଥିବା ବେଳେ ପୁରାତନ ଜୈନ ମୂର୍ତ୍ତି ଉଦ୍ଧାର କରାଯାଇଛି । କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ୍ ସୁବାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାନାଗିରି ପାହାଡରୁ ଏହା ମିଳିଛି ।

ସୂଚନାଯୋଗ୍ୟ ଯେ, ସେମିଳିଗୁଡା ବ୍ଲକ ସୁବାଇ ଗ୍ରାମ ପଞ୍ଚାୟତ ସଦର ମହକୁମାରେ ବହୁ ପୁରୁଣା ଜୈନ କୀର୍ତ୍ତିରାଜି ରହିଛି । ସୁବାଇ ସ୍ଥିତ ଏହି ଜୈନ ମନ୍ଦିର ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ । ଐତିହାସିକମାନେ ମଧ୍ୟ ସୁବାଇ ସ୍ଥିତ ଏହି ଜୈନ ମନ୍ଦିରକୁ ପୁରାତନ କୀର୍ତ୍ତିରାଜିର ମାନ୍ୟତା ଦେଇଛନ୍ତି । ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଏହି ଜୈନ ମନ୍ଦିରର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ସୁରକ୍ଷା ପ୍ରାଚୀର ନିର୍ମାଣ ସହ ମନ୍ଦିର ପୁନଃରୁଦ୍ଧର କାର୍ଯ୍ୟକ୍ରମ ଚାଲୁରହିଛି ।

ଏହି ଅବସରରେ ଶୁକ୍ରବାର ସୁବାଇ ଜୈନ ମନ୍ଦିର ନିକଟ ବାନାଗିରି ପାହାଡ଼ ପାଦ ଦେଶରେ ଏକ ନୂତନ ମନ୍ଦିର ନିର୍ମାଣ ନିମନ୍ତେ ଖୋଲାଯାଉଥିବା ବେଳେ ଏକ ପୁରାତନ ଜୈନ ମୂର୍ତ୍ତି ଉଦ୍ଧାର କରାଯାଇଥିବା ଜଣାଯାଇଛି । ପୁରାତନ ଜୈନ ମୂର୍ତ୍ତି ଉଦ୍ଧାର କରାଯାଇଥିବା ଖବର ପାଇ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଥିଲା । ସୁବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ବହୁ ପୁରୁଣା ଜୈନ କୀର୍ତ୍ତିରାଜି ଥିବାବେଳେ ଖୋଳିଲେ ବହୁ ପୁରୁଣା ତଥ୍ୟ ମିଳିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।