କ୍ରେମଲିନ୍‌ ସମାଲୋଚକ ଆଲେକ୍ସି ନାଭାଲନେ ଜିତିଲେ ୟୁରୋପିଆନ୍‌ ୟୁନିୟନର ସର୍ବୋଚ୍ଚ ମାନବାଧିକାର ପୁରସ୍କାର

Published By : Prameya-News7 Bureau | October 21, 2021 IST

ନୂଆଦିଲ୍ଲୀ ୨୧/୧୦ : ଋଷିଆର ବିରୋଧୀ ଦଳ ନେତା ତଥା ଜେଲ ଫେରନ୍ତା ଆଲେକ୍ସି ନାଭାଲନେ ୟୁରୋପିଆନ୍‌ ୟୁନିୟନର ସର୍ବୋଚ୍ଚ ମାନବାଧିକାର ପୁରସ୍କାରରେ ସମ୍ମାନୀତ କରାଯାଇଛି । ‘ଇମେନ୍ସ ପର୍ସନାଲ ବ୍ରେଭେରୀ’ ପାଇଁ ନାଭାଲନେଙ୍କୁ  ୟୁରୋପର ୟୁନିୟନର ସର୍ବୋଚ୍ଚ ସମ୍ମାନ ‘ସଖାରୋବ’ ପ୍ରଦାନ କରାଯାଇଛି । ୟୁରୋପିୟାନ୍‌ ପାର୍ଲିଆମେଣ୍ଟ ବୁଧବାର ନାଭାଲନେଙ୍କୁ ଏହି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛି । ନାଭାଲନେଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଶକ୍ତ ଚାପୁଡା ବୋଲି କୁହାଯାଉଛି ।

୪୫ ବର୍ଷୀୟ ଆଲେକ୍ସି ନାଭାଲନେ ପୁଟିନ୍‌ଙ୍କର ଘୋର ବିରୋଧୀ ଭାବେ ଜଣାଶୁଣା । ସରକାରଙ୍କ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ସେ ସବୁବେଳେ ସ୍ବର ଉତ୍ତୋଳନ କରନ୍ତି । ଗତ ବର୍ଷ ତାଙ୍କୁ ଖାଦ୍ୟ​‌ରେ ବିଷ ଦେଇ ହତ୍ୟା ଉଦ୍ୟମ କରାଯାଇଥିଲା । ଗୁରୁତର ଅବସ୍ଥାରେ ନାଭାଲନେଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜର୍ମାନୀରେ ଚିକିତ୍ସିତ ହୋଇ ମୋସ୍କୋ ଫେରିବା ପରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ କାରାଗାରରେ ରଖାଯାଇଥିଲା ।

ସେ ଲଗାତାର ଭାବେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରୁଥିଲେ । ଯାହାକୁ ଋଷର ଲକ୍ଷ ଲକ୍ଷ ସାଧାରଣ ଜନତା ସମର୍ଥନ ମଧ୍ୟ କରୁଥିଲେ । ତେଣୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିବାକୁ ଷଡଯନ୍ତ୍ର ରଚାଯାଇଥିଲା ବୋଲି ପାର୍ଲିଆମେଣ୍ଟର ସଭାପତି ଡେଭିଡ୍‌ ସାଶୋଲି କହିଛନ୍ତି ।  

ମାନବ ଅଧିକାର ପାଇଁ ଲଢେଇ କରୁଥିବା ଏବଂ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଲଢେଇ କରୁଥିବା ବ୍ୟକ୍ତିଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ପାଇଁ ଆଲେକ୍ସି ନାଭାଲନେଙ୍କୁ ସଖାରୋଭ ସମ୍ମାନରେ ସମ୍ମାନିତ କରାଯାଇଛି । ଏହା ସହିତ ତାଙ୍କୁ ୫୮ ହଜାର ଡଲାର ମଧ୍ୟ ପ୍ରଦାନ କରାଯାଇଛି । ଗତବର୍ଷ ଆଲେକଜେଣ୍ଡର ଲୁକାସେଙ୍କେ ଏହି ଆଓ୍ବାର୍ଡ ବିଜେତା ହୋଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.