ଜେଲ୍‌ରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ୧୮ କଏଦୀ ମୃତ, ୩୫ରୁ ଅଧିକ ଆହତ

Published By : Prameya-News7 Bureau | July 22, 2021 IST

ନୂଆଦିଲ୍ଲୀ ୨୨/୭: ଇକ୍ବାଡୋରର ଦୁଇ ଭିନ୍ନ ଜେଲ୍‌ରେ କଏଦୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ନେଇ ସୂଚନା ମିଳିଛି। ଏଥିରେ ୧୮ କଏଦୀଙ୍କ ମୃତ୍ୟୁ ହୋଇଯାଇଛି। ଜେଲ୍‌ରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଭୟଙ୍କର ମାରପିଟ୍‌ ପରେ ସେଠାକାର ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇପଡ଼ିଛି। ଗୁରୁବାର ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ଇକ୍ବାଡୋରରେ ଦୁଇଟି ଜେଲ୍‌ରେ ଗ୍ୟାଙ୍ଗ ମଧ୍ୟରେ ହୋଇଥିବା ସଂଘର୍ଷରେ ୧୮ କଏଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

ଜେଲ୍‌ କର୍ତ୍ତୃପକ୍ଷଙ୍କ ମତରେ, ମଧ୍ୟ ଇକ୍ବାଡୋରର ଗୁଆୟାକିଲ୍‌ ଏବଂ ଲାଟାକୁଙ୍ଗା ଜେଲରେ ବୁଧାବାର ହିଂସାତ୍ମକ ପରିବଶେ ସୃଷ୍ଟି ହୋଇଥିଲା। ସଂଘର୍ଷରେ ୯ ଜଣ ପୋଲିସ ଅଧିକାରୀ ଏବଂ ୩୫ କଏଦୀ ଆହତ ହୋଇଛନ୍ତି। ପୋଲିସ ପୁଣି ଥରେ ସ୍ଥିତିକୁ ଆୟତ୍ତ କରିବାରେ ସଫଳ ହୋଇଛି।

ଲାଟାକୁଙ୍ଗା ଜେଲ୍‌ରେ କଏଦୀ ଫେରାର ହେବାକୁ ଉଦ୍ୟମ କରିଥିଲେ ସୁଦ୍ଧା ୪୫ ଜଣଙ୍କୁ କାବୁ କରିଛି ପୋଲିସ। ତେବେ ଏହା ପୂର୍ବରୁ ଇକ୍ବାଡୋରର ଏକ ଜେଲ୍‌ରେ ଦୁଇ ଗ୍ୟାଙ୍ଗ ମଧ୍ୟରେ ଜୁନ୍‌ରେ ହୋଇଥିବା ସଂଘର୍ଷରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥଲା। ଏହା ସହ ୧୧ କଏଦୀ ଆହତ ହୋଇଥିଲେ।

ଚଳିତବର୍ଷ ଫେବୃଆରୀରେ ହୋଇଥିବା ଗ୍ୟାଙ୍ଗ ଓ୍ବାରରେ ୮୦ କଏଦୀଙ୍କ ଜୀବନ ଯାଇଥିଲା। ସେତେବେଳେ ପରିସ୍ଥିତି ଉପରେ କାବୁ ପାଇବା ପାଇଁ ୮୦୦ ସୁରକ୍ଷାକର୍ମୀଙ୍କ ସହାୟତା ନେଇଥିଲେ ଜେଲ୍‌ କର୍ତ୍ତୃପକ୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.