ସ୍ତ୍ରୀ ସହ ହ୍ବାଟସ୍‌ଆପ୍‌ ଭିଡିଓ କଲ୍‌ ସମୟରେ ଆତ୍ମହତ୍ୟା କଲେ ଜେଲ୍‌ ଓ୍ବାର୍ଡର, ବର୍ଷେ ପୂର୍ବରୁ ପାଇଥିଲେ ଚାକିରି

Published By : Prameya-News7 Bureau | November 05, 2021 IST

ଶିବମୋଗା ୦୫/୧୧: ସ୍ତ୍ରୀ ସହ ଭିଡିଓ କଲ୍‌ରେ ଜୀବନ ହାରିଲେ ଜେଲ୍‌ ଓ୍ବାର୍ଡର । ବର୍ଷେ ପୂର୍ବରୁ ପୋଲିସ ଚାକିରି ପାଇଥିଲେ। ଜେଲ୍‌ରେ ପ୍ରଥମେ ପୋଷ୍ଟିଂ ମିଳିଥିଲା। କିନ୍ତୁ ସେଦିନ କଣ ହେଲା କେଜାଣି ସ୍ତ୍ରୀ ସହ ହ୍ବାଟସଆପ୍‌ରେ କଲ୍‌ କରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଗଲେ। ତାଙ୍କ ଫ୍ଲାଟ୍‌ରେ ପୋଲିସ ପହଞ୍ଚିବା ବେଳକୁ ସବୁ କିଛି ସରି ଯାଇଥିଲା। ଫ୍ୟାନରେ ଜେଲ୍‌ ଓ୍ବାର୍ଡରଙ୍କ ଝୁଲନ୍ତା ଶବ ଉଦ୍ଧାର କଲା ପୋଲିସ। ଏଭଳି ଅଭାବନୀୟ ଘଟଣା କର୍ଣ୍ଣାଟକର ଶିବମୋଗାରେ ଘଟିଛି ।

୨୪ ବର୍ଷୀୟ ଜେଲ୍‌ ଓ୍ବାର୍ଡର ଆଶଫାକ ତଗଡିଙ୍କ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ। ସେ ଶିବମୋଗା ଜେଲ୍‌ରେ ହିଁ ଚାକିରି କରିଥିଲେ। ମିଳିଥିବା ସୂଚନା ଅନୁସାରେ, ଆଶଫାକଙ୍କ ସ୍ତ୍ରୀ ଶିଫା ୨୦ ଦିନ ପୂର୍ବରୁ ଜଣେ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଏହା ପରେ ସେ ନିଜ ବାପ ଘରେ ରହୁଥିଲେ। ସ୍ତ୍ରୀଙ୍କ ସହ ଭିଡିଓ କଲ୍‌ରେ କଥା ହେଉଥିବା ବେଳେ ଜେଲ୍‌ ଓ୍ବାର୍ଡର ସୁଇସାଇଡ୍‌ କଥା କହିଥିଲେ। ଏହା ପରେ ଶିଫା ଥାନାକୁ ଫୋନ୍‌ କରି ଏନେଇ ଅବଗତ କରାଇଥିଲେ। ପୋଲିସ ଆଶଫାକଙ୍କ ଫ୍ଲାଟ୍‌ରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ଆଶଫାକ ବୁଧବାର ପୋଲିସ କ୍ୟାମ୍ପସରେ ନିଜ ବନ୍ଧୁଙ୍କ ଜନ୍ମଦିନରେ ସାମିଲ ହୋଇଥିଲେ। ଏହା ପ​‌ରେ ସେ ରାତି ୮ରେ ଘରକୁ ଫେରିଥିଲେ। ତାପରେ ତାଙ୍କ ସ୍ତ୍ରୀଙ୍କୁ ଭିଡିଓ କଲ୍‌ କରି ଆତ୍ମହତ୍ୟା କରିବା କଥା କହିଥିଲେ ।  ଏପରିକି ପରିବାର ସଦସ୍ୟଙ୍କ ଉତ୍ତମ ସ୍ବାସ୍ଥ୍ୟ କାମନା କରିବା ପରେ ଆଶଫାକ ଜୀବନ ହାରିଥିବା ପୋଲିସ କହିଛି । ତେବେ ଜେଲ୍‌ ଓ୍ବାର୍ଡର ଆଶଫାକଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ପୋଲିସ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.