ଜେଲ୍ ଭିତରେ ବ୍ରାଉନସୁଗାର କାରବାର : ତଦନ୍ତ ନିର୍ଦ୍ଦେଶ ଦେଲେ ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ

Published By : Prameya-News7 Bureau | June 06, 2020 IST

ଭୁବନେଶ୍ବର ୬।୬: ଖୋର୍ଦ୍ଧା ସବ୍ ଜେଲରେ ବ୍ରାଉନସୁଗାର କାରବାର ଘଟଣାର ତଦନ୍ତ ନିର୍ଦ୍ଦେଶ ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ । ଘଟଣାର ତଦନ୍ତ ଖୋର୍ଦ୍ଧା ପୋଲିସ କରିବ । ଜେଲ୍ ଭିତରେ ଚାଲିଥିଲା ବ୍ରାଉନସୁଗାର ବେପାର । ଜେଲ୍ ର ସେଲ୍ ଭିତରେ ଚାଲିଛି ପୁଡିଆ ବନ୍ଧା । ଫୋନରେ କାରବାର ଚାଲିଛି । ଆଉ ଏସବୁ କାରବାର ଚଳାଇଛନ୍ତି ବ୍ରାଉନସୁଗାର ମାଫିଆ । ନ୍ୟୁଜ୍ ୭ ଷ୍ଟିଙ୍ଗ୍ ଅପରେସରେ ସାମ୍ନାକୁ ଆସିଛି ଏମିତି ଏକ ସାଂଘାତିକ ସତ । ଜେଲ୍ ର ସେଲ୍ ଭିତରେ ଏସବୁ କାରବାର ଚାଲିଛି ବେଧଡକ । 

ଜେଲ୍ ର ନିଷିଦ୍ଧ କୋଠରୀ ଭିତରେ ଏସବୁ କାରବାର ଚାଲିଛି । ଯେଉଁମାନଙ୍କୁ ବ୍ରାଉନସୁଗାର ଚୋରା କାରବାର ପାଇଁ ଗିରଫ କରାଯାଇ ଜେଲ୍ ଭିତରେ ରଖାଯାଇଛି ସେମାନେ ହିଁ ସାଜିଛନ୍ତି ବ୍ରାଉନସୁଗାର କାରବାରର ମୁଖ୍ୟ କାର୍ପଟଦାର । ଜେଲ୍ କର୍ମଚାରୀ ଜଗିଛନ୍ତି । ଆଉ ସମସ୍ତଙ୍କ ନାକ ତଳେ ଏସବୁ କାରବାର ଚାଲିଛି ।

ଗତ କିଛି ଦିନ ଧରି STF ଚଢାଉ କରି ଅନେକ ବ୍ରାଉନସୁଗାର ମାଫିଆଙ୍କୁ ଧରିଛି । ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ମିଆଁମାର ଏବଂ ବାଂଲାଦେଶକୁ କୋଲକାତାକୁ ଆସୁଛି ବ୍ରାଉନସୁଗାର । ଏସବୁ ଜଳେଶ୍ବରକୁ ଆସିବା ପରେ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚୁଛି । ଗଳି କନ୍ଦିରେ ବିକ୍ରି ହେଉଛି ବ୍ରାଉନସୁଗାର ।

ତେବେ ଏସବୁ କୁଆଡେ ଯାଉଛି, ଆଉ କେଉଁଠୁ ଏହି ନିଷିଦ୍ଧ କାରବାର ନିୟନ୍ତ୍ରଣ ହେଉଛି ତାହା ଜଣାପଡିଛି । ଜେଲ୍ ର ନିଷିଦ୍ଧ କୋଠରୀ ଭିତରୁ ଚାଲିଛି ନିଷିଦ୍ଧ ବେପାର । ବାହାରୁ ଜାଣିବାର ଉପାୟ ନାହିଁ । ଜେଲ୍ ସେଲ୍ ଏମିତି କଳା କାରବାର ପାଇଁ ପାଲଟିଛି ସୁରକ୍ଷିତ ସ୍ଥାନ । ଏହା ପଛରେ କାହାର ହାତ ରହିଛି । କେମିତି ଜେଲ୍ ଭିତରେ ଏସବୁ ଚାଲିଥିଲେ ବି ଜେଲ୍ କର୍ତ୍ତୃପକ୍ଷ ଜାଣିନାହାନ୍ତି । କାହିଁକି ପୋଲିସ ଚଢାଉ କରୁନି ।

ଆମେ କହୁଛୁ ଖୋର୍ଦ୍ଧା ଜେଲ୍‌ର କଥା । ଜେଲ୍ ଭିତରେ ମେଳି ବାନ୍ଧିଛନ୍ତି ଅପରାଧୀ । ଜେଲ୍ ଚାରି କାନ୍ଥ ଭିତରେ ଅପରାଧୀ ଅଛନ୍ତି, କିନ୍ତୁ ଖୁବ ସହଜରେ ବ୍ରାଉନସୁଗାର ପହଞ୍ଚିଯାଉଛି ସେମାନଙ୍କ ପାଖରେ । ଏଠି ଥିବା କଏଦୀଙ୍କୁ ୨୪ ଘଣ୍ଟା ଜଗିଛନ୍ତି ଜେଲ୍ କର୍ମଚାରୀ । ହେଲେ ଯେମିତି କାରବାର ଚାଲିଛି, ଲାଗୁଛି ଏଥିରେ ସମସ୍ତଙ୍କ ହାତ ରହିଛି । ବ୍ରାଉନସୁଗାର ମାଷ୍ଟରମାଇଣ୍ଡମାନେ ବ୍ରାଉନସୁଗାର ବେପାର ଚଳାଇଛନ୍ତି । ସମସ୍ତଙ୍କ ହାତରେ ମୋବାଇଲ୍ ରହିଛି । ବାହାର ଦୁନିଆ ସହ କଣ୍ଟାକ୍ଟରେ ଅଛନ୍ତି । ଜେଲ୍ ଭିତରେ ଚାଲିଛି ଅପରାଧ ଏବଂ ଅପରାଧିକ କାର୍ଯ୍ୟକଳାପର ନିୟନ୍ତ୍ରଣ ।

ଏଭଳି କାମ କରିବାକୁ ଯେମିତି ଜେଲ୍ ଯୋଗାଇ ଦେଇଛି ଅତି ସୁରକ୍ଷିତ ବାତାବରଣ । ସେଲ୍ ଭିତରେ ଅପରାଧୀମାନେ ପୁରା ନେଟୱେର୍କ ଚଳାଇଛନ୍ତି । ଯେଉଁ ଅପରଧୀମାନେ ଗିରଫ ହୋଇ ଏଠିକୁ ଆସିଛନ୍ତି ସେମାନେ ପୁଣି ସେହି ବେପାର କରୁଛନ୍ତି । ଆଇନର ନାକତଳେ ଚାଲିଛି ବେପାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.