ସତ ହୋଇଥିଲେ ସାଙ୍ଘାତିକ: ଜୟ ନାରାୟଣଙ୍କ ଅଭିଯୋଗ- ମୋତେ ଜେଲ୍ରେ କିଛି ଖାଇବାକୁ ଦିଆଯାଇଛି, ସେଥିପାଇଁ ମୋ କିଡନୀ ଖରାପ ହୋଇଛି
27/02/2021 at 8:00 PM

ଭୁବନେଶ୍ଵର ୨୭/୦୨ : ଜେଲ୍ ଭିତରେ ଥିବା ବେଳେ ମୋର କିଡନୀ ଖରାପ ହୋଇଛି। ସେହି ସମୟରେ ମୋତେ କୌଣସି ବିଷାକ୍ତ ଖାଦ୍ୟ ଦିଆଯାଇଛି। ଯାହା ଫଳରେ ମୋର କିଡନୀ ଖରାପ ହୋଇଛି। ଏହି ପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସମ୍ବଲପୁରର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର।
ଶନିବାର ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଜୟନାରାୟଣ କହିଛନ୍ତି ଯେ, ପୂର୍ବ କିଡନୀ ପୂର୍ବରୁ ଠିକ୍ ଥିଲା। କିନ୍ତୁ ଜେଲ୍ରୁ ବାହାରିବା ପରେ କିଡନୀ ଖରାପ ହୋଇଛି। ଏମ୍ସ ଡାକ୍ତର ଅନୁମାନ କରୁଛନ୍ତି ଯେ, ମୋତେ କିଛି ଜିନିଷ ଦିଆଯାଇଛି। ଆଗକୁ ମୋର କୌଣସି ରୋଗ ନଥିଲା କି କିଡନୀ ବି ଖରାପ ନଥିଲା। ଜେଲ୍ ଭିତରେ ମୋତେ ରୋଗ ହୋଇଥିଲା।
ସେ କହିଛନ୍ତି, ଜେଲ୍ରେ ଅସୁସ୍ଥ ହେବା ପରେ ମୋତେ ପ୍ରଥମେ ବୁର୍ଲା ମେଡିକାଲ ତା ପରେ କଟକ ଏସସିବି ହସ୍ପିଟାଲ ଅଣାଯାଇଥିଲା। ଏହା ପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ହାଜତରେ ଥିବା ବେଳେ ହିଁ ମୋର କିଡନୀ ଖରାପ ହୋଇଛି। ପରୀକ୍ଷା ପରେ କିଡନୀ ଖରାପ ହୋଇଥିବା ଜାଣିବାକୁ ପାଇଲି। ପରେ ଜଣା ପଡିବା ପରେ ଏବଂ ସବୁ ସରିବା ପରେ ମୁଁ କାହାକୁ ଆଉ ଅଭିଯୋଗ କରିବି ବୋଲି ବିଧାୟକ ଜୟ ନାରାୟଣ ମିଶ୍ର ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି।