ସାଇକେଲରେ ବିଶ୍ବ ଭ୍ରମଣ କରୁଥିବା ଜହିରୁଲ ଇସଲାମ ପହଞ୍ଚିଛନ୍ତି କଟକରେ, ବାଣ୍ଟୁଛନ୍ତି ପରିବେଶ ସୁରକ୍ଷା ବାର୍ତ୍ତା
3/11/2019 at 4:14 PM

କଟକ ୩।୧୧: ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ବିଶ୍ବ ଭ୍ରମଣ କରୁଛନ୍ତି ଜହିରୁଲ ଇସଲାମ। ଜହିରୁଲ ଭାରତର ନାଗରିକ ନୁହଁନ୍ତି । ସେ ବାଂଲାଦେଶ ଗୋପାଳଗଞ୍ଜ ଜିଲ୍ଲାରୁ ଆସିଛନ୍ତି । ଜିଓଗ୍ରାଫିରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଜହିରୁଲ ସାଇକେଲରେ କଟକ ଆସି ପହଞ୍ଚିଛନ୍ତି। ବାଂଲାଦେଶରୁ ଆସି ସେ ପ୍ରଥମେ ପଶ୍ଚିମବଙ୍ଗରେ ପହଞ୍ଚିଥିଲେ।

ଏବେ ଓଡିଶାରେ ପହଞ୍ଚିଛନ୍ତି । ପୁଣି ଦକ୍ଷିଣ ଭାରତ ଦେଇ ଶ୍ରୀଲଙ୍କା ଓ ମାଲଦ୍ବୀପ ଭ୍ରମଣ କରିବେ । ତାଙ୍କ ଲକ୍ଷ୍ୟ ହେଉଛି ଗ୍ଲୋବାଲ ଓ୍ବାର୍ମିଂରୁ ପୃଥିବୀରୁ ରକ୍ଷା କରିବା। ଲୋକେ ଗଛ ଲଗାନ୍ତୁ ଓ ପରିବେଶକୁ ସୁସ୍ଥ ରଖନ୍ତୁ ଏହି ବାର୍ତ୍ତା ବାଣ୍ଟୁଛନ୍ତି ସେ।

ସେ ୬୦ ଦିନିଆ ଭିସାରେ ଭାରତ ଆସିଛନ୍ତି। ସେପ୍ଟେମ୍ବର ମାସରୁ ନିଜ ଦେଶ ଛାଡିଲେଣି। ତାଙ୍କର ଏହି ବିଶ୍ବ ଭ୍ରମଣକୁ କେହି ପ୍ରାୟୋଜିତ କରିନାହାଁନ୍ତି। ତଥାପି ବି ନିଜ ଖର୍ଚ୍ଚ ଓ ଇଚ୍ଛାଶକ୍ତି ବଳରେ ସେ ବିଶ୍ବ ଭ୍ରମଣ କରୁଛନ୍ତି। ତେବେ ଏହି ଭ୍ରମଣ ବେଳେ ଭାରତ ନେଇ ତାଙ୍କର ଏକ ଭଲ ଅନୁଭୁତି ରହିଥିବା ସେ କହିଛନ୍ତି।

କଟକ ପହଞ୍ଚିବା ପରେ ସେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଭେଟିଥିଲେ। ଜିଲ୍ଲାପାଳ ମଧ୍ୟ ଏନେଇ ତାଙ୍କୁ ଉତ୍ସାହିତ କରିଥିଲେ। ବିଶ୍ବ ତାପନକୁ ହ୍ରାସ କରିବା ପାଇଁ ଏଭଳି ସଚେତନତା ଜରୁରୀ ବୋଲି ସେ ମତ ଦେଇଥିଲେ।