ଭୁବନେଶ୍ବର ୧୯।୦୨: ଜାପାନ ଜାହାଜରେ ଓଡ଼ିଆ । ଚୀନ ସମେତ ସାରା ବିଶ୍ବ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି ମାରାତ୍ମକ ରୋଗ କରୋନା । ଏହାକୁ ନେଇ ଆମ ଦେଶରେ ଉଦ୍ବେଗ ମଧ୍ୟ କମ୍ ନୁହେଁ । ତେବେ ଜାପାନ ଉପକୂଳରେ ଅଟକି ରହିଥିବା ବିଳାସପୂର୍ଣ୍ଣ ଜାହାଜ- କ୍ରୁଜ୍ ଲାଇନ୍ର ବ୍ରହ୍ମପୁରର ଜଣେ ଯୁବକ ରହିଛନ୍ତି । ସଂପୃକ୍ତ ଯୁବକ ଶିବାଶିଷ ନାୟକ ପୁରୁଣା ବ୍ରହ୍ମପୁରର ପନ୍ଦରାସାହି ବାସିନ୍ଦା ।
ଯୁବକ ଜଣକ ଜଣେ ଇଞ୍ଜିନିୟର ହୋଇଥିବା ବେଳେ ଜାହାଜରେ ଗତ ୧୪ ଦିନ ହେଲା ଫସିରହିଥିବା ଜଣାପଡ଼ିଛି । ଜାହାଜରେ ଥିବା ଓଡିଆ ଯୁବକଙ୍କ ଠାରେ କରୋନା ଆକ୍ରାନ୍ତ ନେଇ ପରୀକ୍ଷଣ କରାଯାଇଥିଲା । କିନ୍ତୁ ପରୀକ୍ଷଣରେ ତାଙ୍କ ଦେହରେ କରୋନା ଭୂତାଣୁ ନଥିବା ସ୍ପଷ୍ଟ ହୋଇଛି । ତେବେ ତାଙ୍କୁ କଣ ପାଇଁ ଜାପାନ ସରକାର ଛାଡୁନାହାନ୍ତି । ଘଟଣାରେ ହସ୍ତକ୍ଷେପ କରିବା ପାଇଁ ପରିବାର ଲୋକ ଓ ଶିବାଶିଷ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗୁରୁଗ୍ରାମ ସ୍ଥିତ ଏକ କମ୍ପାନୀରେ କାମ କରୁଥିଲେ ଶିବାଶିଷ । ସେ କମ୍ପାନୀ ପକ୍ଷରୁ ସଂପୃକ୍ତ ଜାହାଜରେ କର୍ମଚାରୀ ଭାବେ କାମ କରୁଥିଲେ। ସେହି ଜାହାଜରେ ଥିବା ୩ ହଜାର ୭୧୧ଲୋକଙ୍କ ମଧ୍ୟରୁ ୪୫୪ ଜଣ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଫଳରେ ଶିବାଶିଷ ୧୪ ଦିନ ଧରି କ୍ରୁଜ୍ ଲାଇନର ଡାଇମଣ୍ଡ ପ୍ରିନ୍ସେସ୍ ମଧ୍ୟରେ ଅଟକି ରହିଛନ୍ତି । ଶିବାଶିଷ କିପରି ନିରାପଦରେ ଘରକୁ ଫେରିବେ ସେ ନେଇ ପରିବାର ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି ।