ବେଙ୍ଗଲ ଏବେ ଅଲକାଏଦା ଆଡ୍ଡା ! ବିଭିନ୍ନ ସ୍ଥାନରେ ଖୋଲୁଛି ବୋମା ତିଆରି କାରଖାନା : ପଶ୍ଚିମବଙ୍ଗ ରାଜ୍ୟପାଳ

Published By : Prameya-News7 Bureau | January 09, 2021 IST

କୋଲକାତା ୦୯/୦୧ : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଶନିବାର ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଏହି ସାକ୍ଷାତକାର ପରେ ରାଜ୍ୟପାଳ ଏକ ପ୍ରେସ୍ କନଫରେନ୍ସ କରିଥିଲେ । ରାଜ୍ୟପାଳ କହିଛନ୍ତି, ‘ପଶ୍ଚିମବଙ୍ଗରେ ସୁରକ୍ଷା ବ୍ୟବସ୍ଥା ବିପଦରେ ଅଛି । ଏଠାରେ ଅଲ-କାଏଦା ଆତଙ୍କୀ ସଂଗଠନ ପାଦ ରଖିବା ପରି ଲାଗୁଛି । ବିଭିନ୍ନ ସ୍ଥାନରେ ବୋମା ତିଆରି କାରଖାନା ଖୋଲିବାରେ ଲାଗିଛି । ବେଙ୍ଗଲରେ ପୋଲିସ ନିରପେକ୍ଷ ହୋଇ ନାହିଁ ବରଂ ରାଜନୀତିକରଣ ହୋଇଯାଇଛି’।

ସେ ଆହୁରି ମଧ୍ୟ କହିଛନ୍ତି, ‘ପଶ୍ଚିମବଙ୍ଗରେ ମା ଭାରତୀଙ୍କୁ ଅସମ୍ମାନ କରାଯାଉଛି ଯାହାକି ବହୁତ ଦୁଃଖଦାୟକ ଘଟଣା । ଆମେ ସମସ୍ତେ ଭାରତ ମାତାର ସନ୍ତାନ । ଏଡାରେ ସମସ୍ତେ ଏକତାରେ ବିଶ୍ବାସ ରଖନ୍ତି’ । ପଶ୍ଚିମବଙ୍ଗ ପାଇଁ ବର୍ଷ ୨୦୨୧ ଚ୍ୟାଲେଞ୍ଜିଂ ହେବ କାରଣ ଚଳିତ ବର୍ଷ ଏଠାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସାଧାରଣତଃ ବେଙ୍ଗଲରେ ନିର୍ବାଚନ ବେଳେ ବ୍ୟାପକ ହିଂସା ଦେଖିବାକୁ ମିଳେ ।

ରାଜ୍ୟପାଳ ଜଗଦୀପ ଧନଖଡ କହିଛନ୍ତି ପଶ୍ଚିମବଙ୍ଗରେ ଭୋଟରମାନଙ୍କ ମୌଳିକ ଅଧିକାର, ବ୍ୟୁରୋକ୍ରାଟ୍ ଏବଂ ପୋଲିସର କର୍ତ୍ତବ୍ୟ ସହ ବୁଝାମଣା କରାଯାଉଛି । ବେଙ୍ଗଲରେ ବିଧାନସଭା ନିର୍ବାଚନ ପୁର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଜ୍ୟପାଳ ଧନଖଡଙ୍କ ଏହି ସାକ୍ଷାତକାର ଗୁରୁତ୍ବ ବହନ କରୁଛି । ଗତ ବର୍ଷ ଅକ୍ଟୋବରରେ ମଧ୍ୟ ରାଜ୍ୟପାଳ ରାଜ୍ୟପାଳ ଜଗଦୀପ ଧନଖଡ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ସାକ୍ଷାତକାର ହୋଇଥିଲା ।

ବିଗତ କିଛି ଦିନ ଧରି ପଶ୍ଚିମବଙ୍ଗ ରାଜ୍ୟପାଳ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି । କିଛି ଦିନ ପୂର୍ବରୁ ଯେତେବେଳ ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାରକେଡ ଉପରକୁ ଆକ୍ରମଣ ହୋଇଥିଲା, ସେତେବେଳେ ସେ କହିଥିଲେ ‘ରାଜ୍ୟରେ ଲୋକତନ୍ତ୍ର ଅସୁବିଧାରେ ଥିବା ବେଳେ ସେ ରବର ଷ୍ଟାମ୍ପ୍‌ ହୋଇ ରହିପାରିବେ ନାହିଁ ’ ।

ପଶ୍ଚିମବଙ୍ଗରୁ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଫେରାଇନେବାକୁ ଟିଏମସି ନେତାମାନେ ଗୃହ ମନ୍ତ୍ରଣାଳୟକୁ ଦାବି କରିଛନ୍ତି । କିଛି ଦିନ ପୂର୍ବରୁ ମମତା ବାନାର୍ଜୀ ରାଜ ଭବନରେ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଭେଟିଥିଲେ । ଚଳିତ ବର୍ଷ ଏପ୍ରିଲ କିମ୍ବା ମେ ମାସରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ବିଜେପି ନେତାମାନେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.