ଜଗତସିଂହପୁରରେ ୧୩ ତାରିଖରୁ କାର୍ଯ୍ୟକ୍ଷମ ହେବ ସ୍ବତନ୍ତ୍ର କୋଭିଡ୍-୧୯ ହସପିଟାଲ: ରାଜ୍ୟରେ ବଢିଲା ପରୀକ୍ଷଣ ସୁବିଧା ଏବଂ କ୍ଷମତା, ମାସ୍କ- ସାନିଟାଇଜର ମହଜୁଦ

Published By : Prameya-News7 Bureau | April 11, 2020 IST

ଭୁବନେଶ୍ବର ୧୧.୦୪-  କୋଭିଡ୍ ୧୯ ଭାଇରସ୍‌ର ମୁକାବିଲା ସମସ୍ତ ପ୍ରୟାସ ଜାରି ରଖିଛନ୍ତି  ରାଜ୍ୟ ସରାକାର ।  ଏହି ଭୟଙ୍କର ଭୂତାଣୁ ଜନିତ ସଂକ୍ରମଣର ପ୍ରତିରୋଦ ଲାଗି ଭିତ୍ତିଭୂମିକୁ ଅଧିକ ମଜବୁତ କରିବା  ଅଭିଯାନରେ ସରକାର ଆଗେଇ ଚାଲିଛନ୍ତି । ରାଜ୍ୟରେ ସ୍ବତନ୍ତ୍ର କୋଭିଡ ହସପିଟାଲ ସହ ଡାକ୍ତରଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ତାଲିମରେ କିଛି ବି ବିକଳ୍ପ ଛାଡୁ ନାହାନ୍ତି ସରକାର ।  ଓଡ଼ିଶାରେ କୋଭିଡ୍‌-୧୯ ହସ୍‌ପିଟାଲ୍‌ର ସଂଖ୍ୟା ବୃଦ୍ଧି ଦିଗରେ ଶନିବାର ଆଉ ଏକ ପାଦ ଆଗକୁ ବଢିଛି ।  ଜଗତସିଂହପୁରଠାରେ ଏକ ଉତ୍ସର୍ଗୀକୃତ କୋଭିଡ୍‌-୧୯ ହସପିଟାଲ୍‌ ପ୍ରତିଷ୍ଠା ନିମନ୍ତେ ଜଗତସିଂହପୁର  ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ  ଏକ ତ୍ରୀପାକ୍ଷିକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏହି ହସ୍‌ପିଟାଲ୍‌ ଚଳିତ ମାସ ୧୩ ତାରିଖରୁ କାର୍ଯ୍ୟକ୍ଷମ ହେବ ।

 ଅନ୍ୟଏକ ବଡ଼ ଖବର ହେଲା,କୋଭିଡ୍‌-୧୯ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୫୦ ଜଣ ରୋଗୀଙ୍କ ମଧ୍ୟରୁ ୧୨ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।ଅନ୍ୟପକ୍ଷରେ  ଆଞ୍ଚଳିକ ଭେଷଜ ଗବେଷଣା ପରିଷଦ (ଆର୍‌ଏମ୍‌ଆର୍‌ସି)କୁ ଉଚ୍ଚଶକ୍ତିସଂପନ୍ନ କୋବାସ୍‌ ଯନ୍ତ୍ର ଆସିବା ଫଳରେ କୋଭିଡ୍‌-୧୯ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇଛି ।

ଏମ୍‌କେସିଜି ମେଡିକାଲ୍‌ କଲେଜ୍‌ (ବ୍ରହ୍ମପୁର) ଓ ଆଇଜିଏଚ୍‌ (ରାଉରକେଲା) ମଧ୍ୟ କୋଭିଡ୍‌-୧୯ ପରୀକ୍ଷଣ କରିବେ । ଭୁବନେଶ୍ବରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ ମଧ୍ୟ ଭାରତ ସରକାରଙ୍କ ବାୟୋଟେକ୍‌ନୋଲୋଜି ବିଭାଗରୁ କୋଭିଡ୍‌-୧୯ ପରୀକ୍ଷା ପାଇଁ ଅନୁମତି ପାଇଛି ଓ ଖୁବ୍‌ ଶୀଘ୍ର ଏହା ପରୀକ୍ଷଣ ଆରମ୍ଭ କରିବ । ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନମାନଙ୍କରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ବ୍ୟବହାର ନିମନ୍ତେ ସାନିଟାଇଜର, ତିନିପ୍ରସ୍ତ ବିଶିଷ୍ଟ ସର୍ଜିକାଲ୍‌ ମାସ୍କ, ଏନ୍‌-୯୫ ମାସ୍କ ଓ ଅନ୍ୟାନ୍ୟ ସୁରକ୍ଷା ଉପକରଣମାନ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.