ଶେଷରେ ସୋନାଲି ସ୍କୁଲ ଗଲା, କାହିଁକି ସେ ମାଗୁଥିଲା ଭିକ? ଜାଣିଲେ ଆଖିରେ ଆସିଯିବ ଲୁହ
18/09/2018 at 7:16 PM

ଜଗତସିଂହପୁର ୧୮|୯: କିଛିଦିନତଳେ ଭିକ ମାଗୁଥିବା କୁନି ଝିଅ ସୋନାଲି ଆଜି ଶେଷରେ ସ୍କୁଲ ଫେରିଛି । ଏଥର ସେ ପାଠ ପଢିବ । ଭବିଷ୍ୟତ ଗଢିବ । ଆଉ ଭିକ ମାଗିବାକୁ ଯିବନି । ସୋନାଲି ସ୍କୁଲ ଯିବା ପରେ ସାଙ୍ଗ ସାଥୀ ଶିକ୍ଷକ ଶିକ୍ଷୟତ୍ରୀ ବି ବେଶ ଖୁସି ଜାହିର କରିଛନ୍ତି ।ସୋନାଲି ସାଙ୍ଗ ସାଥୀଙ୍କ ସହ ଖେଳୁଛି ବୁଲୁଛି ସେମାନଙ୍କ ସହ ବସି ପାଠ ପଢୁଛି । ଆଉ ସେ ଭିକ ମାଗିବାକୁ ଯିବନି ବୋଲି କହିଛି। ଜଗତସିଂପୁର ବାଲିକୁଦା ନାରଦିୟା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳରେ୪ର୍ଥ ଶ୍ରେଣୀରେ ପାଠ ପଢିବା ଆରମ୍ଭ କରିଛି ସୋନାଲି ।
ବାପା ଆରପାରିକୁ ଚାଲିଗଲା ପରେ ଘରେ ବଡ ଭଉଣୀ, ମାଆ ଓ ବୃଦ୍ଧ ଜେଜେ ବାପା ମାଙ୍କ ସହ ରହୁଛି ସୋନାଲି । ପରିବାରର ଆର୍ଥିକ ଅବସ୍ଥା ଅତି ଖରାପ ଥିବାରୁ ବଡ ଭଉଣୀ ଓ ମାଆ ମୂଲ ମଜୁରୀ ଲାଗିବାକୁ ଚାଲିଯାଉଥିଲେ । ଆଉ ସୋନାଲି ଜେଜେ ମାଆ ସହ ଗାଁ ଗାଁ ଘର ଘର ବୁଲି ଭିକ ମାଗୁଥିଲା। ସୋନାଲିର ସ୍କୁଲରେ କେବଳ ନାଁ ଗଡୁଥିଲା । ଏହି ଖବର ନ୍ୟୁଜ୍ ସେଭେନ୍ର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢାଇଥିଲା। ସୋନାଲି ପରିବାରକୁ ବୁଝାସୁଝା କରି ଜିଲ୍ଲା ଶିଶୁ ସୁରକ୍ଷା କର୍ମକର୍ତ୍ତା ସୋନାଲିକୁ ସ୍କୁଲ ଫେରାଇ ଆଣିଛନ୍ତି। ସୋନାଲିର ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି । ସୋନାଲିର ମାଆ ମଧ୍ୟ ଝିଅକୁ ଭିକ ମାଗିବାକୁ ପଠାଇବେ ନାହିଁ ବୋଲି କହିଛନ୍ତି ।
କେବଳ ସୋନାଲି ନୁହନ୍ତି ଜିଲ୍ଲାର ଅନେକ ପିଲାଙ୍କର କେବଳ ସ୍କୁଲରେ ନାଁ ଗଡୁଛି । ଏମାନେ ବିଭିନ୍ନ ହୋଟେଲ ଓ ଦୋକାନରେ ଶିଶୁ ଶ୍ରମିକ ଭାବରେ କାମ କରୁଥିବା ବେଳେ କେତେକ ଭିକ୍ଷାବୃତ୍ତି କରୁଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି…