କୁଆଡେ ଗଲେ ବେଆଇନ ଆଚାର୍ଯ୍ୟ ନର୍ସିଙ୍ଗ ହୋମର ମାଷ୍ଟର ମାଇଣ୍ଡ ମାଲିକ
1/09/2018 at 3:24 PM

ଜଗତସିଂହପୁର ୧/୯ : ଜଗତସିଂହପୁର ସହର ମେଡିକାଲ ଛକ ନିକଟରେ ଥିବା ଆଚାର୍ଯ୍ୟ ନର୍ସିଂହୋମ ଉପରେ ସିଡବ୍ଲ୍ୟୁସି, ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସ ମିଳିତ ଚଢାଉ କରି ବିଦେଶକୁ ଚଲାଣ ପାଇଁ ଯୋଜନା କରାଯାଉଥିବା ୨ ଜଣ ଅଜଣା ନବଯାତ ଶିଶୁଙ୍କୁ ଉଦ୍ଧାର କରାଯିବା ଓ ନର୍ସିଂ ହୋମଟି ବେଆଇନ ଭାବରେ ଚାଲୁଥିବାର ଜଣା ପଡିବା ପରେ ନର୍ସିଙ୍ଗ ହୋମଟିକୁ ସିଲ୍ କରାଯିବା ଘଟଣାକୁ ଏକ ମାସ ପୁରିଲାଣି । ହେଲେ ମାଷ୍ଟର ମାଇଣ୍ଡ କୁହାଯାଉଥିବା ନର୍ସିଙ୍ଗ ହୋମର ମାଲିକ ଅଭିଯୁକ୍ତ ପରମାନନ୍ଦ ଆଚାର୍ଯ୍ୟକୁ ଆଜି ପର୍ଯ୍ୟନ୍ତ ପୋଲିସ ଗିରଫ କରିବାର ନାଁ ଗନ୍ଧ ନଧରିବା ଘଟଣା ସାଧାରଣରେ ତିବ୍ର ଅସନ୍ତୋଷ ସୃଷ୍ଟି କରିଛି ।
କୁଆଡେ ଗଲେ ଆଚାର୍ଯ୍ୟ ନର୍ସିଙ୍ଗ ହୋମର ମାଲିକ ପରମାନନ୍ଦ ଆଚାର୍ଯ୍ୟ । ଜିଲା ଭିତରେ ଅଛନ୍ତି ନା କେଉଁ ଆଡେ ଫେରାର ହୋଇ ଯାଇଛନ୍ତି ତାକୁ ନେଇ ସୃଷ୍ଟି ହୋଇଛି ସଂଦେହ । ନର୍ସିଙ୍ଗ ହୋମ୍ ସିଲ୍ ହେବା ଘଟଣାକୁ ପୁରିଲାଣି ଏକ ମାସ । ହେଲେ ନର୍ସିଙ୍ଗ ହୋମ ମାଲିକଙ୍କୁ ଆଜି ପର୍ଯ୍ୟନ୍ତ ପୋଲିସ ଗିରଫ କରିବାର ନାଁ ନଧରିବା ଘଟଣା ପୋଲିସ ଓ ଜିଲା ପ୍ରଶାସନର କାର୍ଯ୍ୟ କଳାପ ଉପରେ ସଂଦେହ ସୃଷ୍ଟି କରିଛି । ସାମାନ୍ୟ ଘଟଣାରେ ପୋଲିସ ନିରିହ ଲୋକଙ୍କୁ ଆଣି ଥାନାରେ ବସାଉଥିବା ବେଳେ ଏହି ନର୍ସିଙ୍ଗ ହୋମ ମାଲିକଙ୍କ ପ୍ରତି କାହିଁକି ଏତେ ଅନୁକମ୍ପା ଦେଖାଉଛି ପୋଲିସ ? ଜଗତସିଂହପୁର ସହରରେ ଥିବା ଆଚାର୍ଯ୍ୟ ନର୍ସିଙ୍ଗ ହୋମ ଉପରେ ଗତ ଜୁଲାଇ ମାସ ୨୬ ତାରିଖ ଦିନ ସିଡବ୍ଲ୍ୟୁସି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏଠାରେ ଦୁଇ ଜଣ ଅଜଣା ନବଯାତ ଶିଶୁ ଥିବା ସହ ସେମାନଙ୍କୁ ବିଦେଶରେ ବିକ୍ରୀ କରିବା ପାଇଁ ଯୋଜନା କରାଯାଉଥିବାର କୌଣସି ସୂତ୍ରରୁ ଖବର ପାଇବା ପରେ ସିଡବ୍ଲ୍ୟୁସି ଓ ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ସେଠାରେ ପହଂଚି ତଦନ୍ତ କରିଥିଲେ । ହେଲେ ତଦନ୍ତରେ ନର୍ସିଙ୍ଗ ହୋମ କର୍ତ୍ତୃପକ୍ଷ ଦୁଇ ଶିଶୁଙ୍କର କୌଣସି ସଠିକ ପରିଚୟ ଦେଇ ପାଇନଥିଲେ । ଦିର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ଶିଶୁଙ୍କର ବାପ ମାଆ କିଏ ଓ ସେମାନଙ୍କର ଠିକଣା ନମିଳିବା ପରେ ଶେଷରେ ଏହି ଶିଶୁଙ୍କୁ ସେଠାରୁ ଉଦ୍ଧାର କରି ଜିଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇ ସେଠାରେ ରଖା ଯାଇଥିଲା । ପରେ ସେମାନଙ୍କୁ ଜଗତସିଂହପୁର ଶିଶୁ ଆଶ୍ରମରେ ରଖା ଯାଇଛି । ଆରପଟେ ଜିଲାପାଳଙ୍କ ନିର୍ଦେଶକ୍ରମେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତ ଜୁଲାଇ ମାସ ୨୭ ତାରିଖ ଦିନ ଏହି ବେଆଇନ ନର୍ସିଙ୍ଗ ହୋମଟିକୁ ସିଲ କରା ଯାଇଥିଲା । ହେଲେ ସେହି ଠାରେ ସବୁ ତଦନ୍ତ ଅଟକିଥିବା ବେଳେ ଆଗକୁ ଯିବା ପାଇଁ ପ୍ରଶାସନ ମନ ନ ବଳେଇବା ଘଟଣା ସଂଦେହକୁ ଅଧିକ ଘନିଭୁତ କରିଛି ।
ଏହି ବାବଦରେ ଜଗତସିଂହପୁର ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଅଭିଯୁକ୍ତ ଫେରାର ହୋଇ ଯାଇଥିବାର ସେ ସ୍ୱୀକାର କରିବା ସହ ଏକ ଟିମ ଗଠନ କରାଯାଇ ଅଭିଯୁକ୍ତକୁ ଖୋଜା ଚାଲିଥିବାର ସେ କହିବା ସହ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି । ଏଥି ସହିତ ଉଦ୍ଧାର ଶିଶୁ କନ୍ୟାର ଆଜି ପର୍ଯ୍ୟନ୍ତ କେହି ଦାବିଦାର ମିଳିନଥିବା ବେଳେ ଶିଶୁ ପୁତ୍ରର ପିତା ମାତା ବୋଲି ଦାବି କରୁଥିବା ଦମ୍ପତିଙ୍କର ଡିଏନଏ ପରୀକ୍ଷା ପାଇଁ ପଠା ଯାଇଥିବାର ସେ କହିଛନ୍ତି।