ନୂଆଦିଲ୍ଲୀ ୨୨|୯: ଅସ୍ତ୍ରୋପଚାର ପରେ ଯୋଡାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା କାଳିଆଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ପରିବାର । ଜଗା ସୁସ୍ଥ ଥିବା ବେଳେ କାଳିଆକୁ ମାସେ ହେଲା ଲାଗି ରହିଥିବା ଜ୍ବର ଛାଡୁନି । ସେପଟେ କହଁର ପରିବାରଙ୍କୁ ଆଉ ଆର୍ଥିକ ସହାୟତା ମିଳୁନଥିବାରୁ ସେମାନେ ଓଡ଼ିଶା ଫେରିଯିବାକୁ ଚାହୁଁଛନ୍ତି ।

କାଳିଆର ସ୍ବାସ୍ଥ୍ୟବସ୍ଥାରେ ଅବନତି । ମାସେ ହେଲା ଜର ଲାଗି ରହିଛି ଯେ ଛାଡୁନି । ଏମ୍ ସ ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ଚିକିତ୍ସା କରୁଥିଲେ ବି ଜ୍ବର ଛାଡୁନି । ଯାହାକୁ ନେଇ କନ୍ଧମାଳର କହଁର ପରିବାର ବିଚଳିତ । ଓଡିଶା କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା କାଳିଆଙ୍କ ଅସ୍ତ୍ରୋପଚାର ପରଠାରୁ କାଳିଆର ସ୍ବାସ୍ଥ୍ୟବସ୍ଥା ଖରାପ ରହୁଛି । ଜଗା ସୁସ୍ଥ ଅଛି ଖେଳା ବୁଲା କରୁଛି ହେଲେ କାଳିଆର ସ୍ବାସ୍ଥ୍ୟବସ୍ଥାରେ ସେତେଟା ସୁଧାର ଆସିନାହିଁ । ଅନ୍ୟପଟେ ଓଡିଶା ଫେରିବାକୁ ଚାହୁଁଛନ୍ତି କହଁର ପରିବାର । କାରଣ ଜଗାକାଳିଆଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ତାଙ୍କ ପାଖରେ ଟଙ୍କାଟିଏ ନାହିଁ । କାରଣ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ସୁବିଧା ପ୍ରଦାନ କରାଯାଉଥିଲା ତାହା ଧିରେ ଧିରେ ପ୍ରତ୍ୟାହାର କରିନିଆଯାଇଛି । ରାଜ୍ୟ ସରକାର ଏକ ଏନଜିଓ ଜରିଆରେ ଦୈନଦିନ ଖର୍ଚ୍ଚ ବ୍ୟବସ୍ଥା କରୁଥିଲେ । ଏଥିପାଇଁ ଜଣେ କେୟାର ଟେକର ଉପସ୍ଥିତ ରହି ଏହି ସହାୟତା ଦେଉଥିଲେ । ହେଲେ ମାସେରୁ ଅଧିକ ସମୟ ହେଲାଣି ସେହି କେୟାର ଟେକରଙ୍କ ଦେଖା ମିଳୁନାହିଁ ବୋଲି ଜଗା କାଳିଆଙ୍କ ବାପା ଭୁୟାଁ କହଁର କହିଛନ୍ତି ।

ଏନଜିଓ ଏବେ ସହାୟତାର ହାତ ଫେରାଇ ନେବା ପରେ ଦିଲ୍ଲୀ ଭଳି ସ୍ଥାନରେ ଏକାକୀ ଦୁଇ ଶିଶୁଙ୍କ ଧ୍ୟାନ ରଖିବା ଓ ଡାକ୍ତର ଟିମ୍ ସହ ଯୋଗାଯୋଗରେ ରହିବା ଭୁୟାଁ କହଁରଙ୍କ ପାଇଁ କାଠିକର ପାଠ ହେଲାଣି । ସେପଟେ କନ୍ଧମାଳ ଫିରିଙ୍ଗିଆରେ ଥିବା ଆଉ ଦୁଇ ପିଲା ଓ ବୁଢା ବାପା ଏକାକୀ ଥିବାରୁ ସେମାନଙ୍କ କଥା ବୁଝିବାକୁ କେହି ନାହିଁ । ତେଣୁ କହଁର ପରିବାରକୁ ଭୁବନେଶ୍ବର ଫେରାଇ ଆଣିବାକୁ ଭୁୟାଁ କହଁର ସରକାରଙ୍କୁ ଅନୁରୋଧ କରିଛନ୍ତି ।