କାଳିଆକୁ ଝୁରୁଛି ଜଗା, ଖାଇବା-ପିଇବା ବେଳେ ମନେ ପକାଉଛି, ଜାଣିନି ତା' ଭାଇ ଆଉ ଏ ଦୁନିଆରେ ନାହିଁ...

Published By : Prameya-News7 Bureau | December 01, 2020 IST

କଟକ,୦୧/୧୨: କାଳିଆ ଆଉ ଏଦୁନିଆରେ ନାହିଁ । ଜଗାକୁ ଏକା କରି ପରିପାରିକୁ ଚାଲିଯାଇଛି କାଳିଆ । ଯାଆଁଳା ଭାଇ କାଳିଆର ମୃତ୍ୟୁ ଖବର ଏଯାଏ ଠିକରେ ଜାଣିନି କି’ ବୁଝିନି ଜଗା । ଖାଲି ସେ ଏତିକି ଜାଣିଛି,  କାଳିଆ ମା’ ସହ ଗାଁକୁ ଯାଇଛି। କାଳିଆ ଡାକ୍ତରଖାନାରୁ ଗଲା ଦିନୁ ଜଗା ଆଖିରେ ଆଉ ନିଦ ନାହିଁ । ସକାଳୁ ଉଠିଲେ ଜଗା ଖାଲି କାଳିଆ ହେଉଛି । ଏପରିକି ଖାଇଲା ପିଇଲା ବେଳେ ବି କାଳିଆକୁ ମନେ ପକାଉଛି ଜଗା । କାଳିଆକୁ ଦେଖିବା ପାଇଁ ଜଗାର ବ୍ୟାକୁଳତା ଦେଖି ଡାକ୍ତରଖାନା କର୍ମଚାରୀଙ୍କଠାରୁ ଆରମ୍ଭ କରି ଅନ୍ୟ ରୋଗୀ ସମ୍ପର୍କୀୟମାନେ ମଧ୍ୟ ଭାବବିହ୍ୱଳ ହୋଇପଡୁଛନ୍ତି । କଣ କହିବେ ଓ କରିବେ ବୁଝିପାରୁ ନାହାଁନ୍ତି । ଜଗା ଛୋଟ ଛୁଆଟିଏ ହୋଇଥିଲେ ମଧ୍ୟ କାଳିଆ ପ୍ରତି ଥିବା ତାର ଭଲ ପାଇବା, ସ୍ନେହ  ଓ ମମତାକୁ ଭୁଲି ପାରୁନାହାନ୍ତି ବାପା ଭୁଇଁଆ କହଁର ।

ଗତ କିଛିଦିନ ତଳେ କନ୍ଧମାଳ ଜିଲ୍ଲା ମାଳିପଡା ଗ୍ରାମରେ ମୁଣ୍ଡ ଯୋଡା ମୁଣ୍ଡ ଶିଶୁ କାଳିଆ ଆଖି ବୁଜିଲା ଦିନୁ ଜଗାକୁ ବୁଝାଶୁଝା କରି ନାକେଦମ୍‌ ହୋଇପଡ଼ିଲେଣି ବାପା । ଗୋଟିଏ ପୁଅକୁ ହରାଇ ଶୋକସନ୍ତପ୍ତରେ ଅଛନ୍ତି ବାପା । ସେ ଅନ୍ୟ ପୁଅଟିର ବିକଳ ଅବସ୍ଥା ଦେଖି ମନରେ କୋହ ଆସୁଥିଲେ ମଧ୍ୟ ନିଜକୁ ସମ୍ଭାଳିଛନ୍ତି  । ଜଗାର ମନ ଭୁଲାଇବାକୁ ସେ ତାକୁ ମୋବାଇଲ୍‌ରେ ଗୀତ ଶୁଣାଉଛନ୍ତି ।

 ଜଗାକୁ ବୁଝାଇବାକୁ ଯାଇ ବାପା କହୁଛନ୍ତି ଯେ, କାଳିଆ ମା’ ସହ ଗାଁକୁ ଯାଇଛି, ସେ ଫେରିଲେ ତୁ ତା’ ପାଖରେ ବସିବୁ । କିନ୍ତୁ କାଳିଆକୁ ଦେଖିବା ଜିଦ୍‌ରେ ତା’ ବେଡ୍‌ ପାଖରେ ଘୁରି ବୁଲୁଛି ଜଗା । ଦୀର୍ଘ ୧୪ ମାସ ହେଲା କାଳିଆ ଯେଉଁ ବେଡ୍‌ରେ ରହି ଚିକିତ୍ସିତ ହେଉଥିଲା ଜଗା ଏବେ ସେ ବେଡ୍‌ର ପାଖ ଛାଡ଼ୁନି । ଜଗା-କାଳିଆଙ୍କ ମା’ ତଥା ଭୁଇଁଆଙ୍କ ପତ୍ନୀ ପୁଷ୍ପାଞ୍ଜଳି ଏବେ କନ୍ଧମାଳସ୍ଥିତ ନିଜ ଗାଁରେ ଅଛନ୍ତି। ‘ପୁଅର କର୍ମରେ ଯୋଗ ଦେବା ପାଇଁ ମୁଁ ଆସନ୍ତା ୮ ତାରିଖ ଦିନ ଗାଁକୁ ଯିବି। ଏସ୍‌ସିବି କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେଇ ମୁଁ ଜଗାକୁ ଡାକ୍ତରଖାନାରେ ଛାଡିଯିବି’ ବୋଲି କୋହଭରା କଣ୍ଠରେ କହିଛନ୍ତି ଭୁଇଁଆ । ଏହି ସମୟରେ ୱାର୍ଡରେ ସେବିକାମାନଙ୍କ ପାଖରେ ଜଗା ରହିବ ବୋଲି ସେ ସୂଚନା ଦେଇଛନ୍ତି । ବାପା ଭୁଇଁଆ ଆହୁରି କହିଛନ୍ତି ଯେ, ଜଗାର କର୍ମ ସାରି ଗାଁରୁ ଫେରିବା ମଧ୍ୟରେ ଜଗାକୁ ଏକୁଟିଆ ଦୁଇ ଦିନ ରହିବାକୁ ପଡ଼ିପାରେ ।

ସୂଚନାଯୋଗ୍ୟ, ୨୦୧୫ ଏପ୍ରିଲ ୯ ତାରିଖରେ ଜନ୍ମିତ ଜଗା-କାଳିଆଙ୍କ ମୁଣ୍ଡ ଜନ୍ମର ଦୁଇ ବର୍ଷ ପର୍ଯ୍ୟନ୍ତ ଯୋଡି ହୋଇ ରହିଥିଲା । ପରେ ୨୦୧୭ରେ ଦିଲ୍ଲୀ ଏମସରେ ସେମାନଙ୍କର ଅପରେସନ କରାଯାଇ ଅଲଗା କରାଗଲା । ଏଭଳି ବିରଳ ଅପରେସନ ସମଗ୍ର ଦେଶରେ ପ୍ରଥମ ଥିଲା । ତେବେ ଅଲଗା ହେବାର ପ୍ରାୟ ୩ ବର୍ଷ ପରେ ଗତ ବୁଧବାର କାଳିଆର ପରଲୋକ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.