Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ପାଇଁ ଧାଁ ଦଉଡ଼ ବେଳେ ଜଗା-ବଳିଆଙ୍କୁ ଅବହେଳା ଅଭିଯୋଗ, ମା ପୁଷ୍ପାଞ୍ଜଳୀଙ୍କ ଅଭିମାନ, ‘ଛୁଆଙ୍କୁ ଧରି ଗାଁକୁ ପଳାଇବି’…

13/05/2020 at 1:34 PM

କଟକ ୧୩।୦୫ : ଜଗାକୁ ଆବଶ୍ୟକତା ଅନୁସାରେ ପୁଷ୍ଟିକର ଖାଦ୍ୟ ମିଳୁନି । ମୋତେ ଖାଇବାକୁ ମାଗିଲେ ବି ମୁଁ ତାକୁ ଦେଇପାରୁନାହିଁ । ଡାକ୍ତରଖାନା ପକ୍ଷରୁ ଯାହା ଖାଦ୍ୟ ଯୋଗାଇ ଦିଆଯାଉଛି, ସେ କଥା ନକହିବା ଭଲ । ଲକ୍‌ଡାଉନ ଦିନଠାରୁ ଜଗା ସହ ମୋ ପରିବାର ଆହାର କେନ୍ଦ୍ରରୁ ୫ ଟଙ୍କିଆ ମିଲ୍‌ କିଣି ଖାଉଛୁ । ପାଖରେ ଆଉ ଟଙ୍କାପଇସା ବି ନାହିଁ । ଏମିତି ହୀନସ୍ତା ହେବା ଅପେକ୍ଷା ଗାଁକୁ ପଳାଇଗଲେ ଭଲ ହେବ । ଭାବୁଛି, ଦୁହିଙ୍କୁ ଧରି ଗାଁକୁ ପଳାଇବି । – କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ହେଉଥିବା ଯମଜ ଶିଶୁ ଜଗା-ବଳିଆଙ୍କ ମା’ ପୁଷ୍ପାଞ୍ଜଳିଙ୍କର ଇଏ ଅଭିମାନଭରା କଥା ।

ପୁଷ୍ପାଞ୍ଜଳିଙ୍କ କହିବା କଥା, ଜଗାର ସ୍ୱାସ୍ଥ୍ୟାବସ୍ଥା ଦୃଷ୍ଟିରୁ ତାକୁ ନିୟମିତ ପୁଷ୍ଟିକର ଖାଦ୍ୟ ଖାଇବା ଦରକାର ବୋଲି ଡାକ୍ତର କହିଛନ୍ତି । ମାତ୍ର ଲକ୍‌ଡାଉନ୍‌ ଦିନୁ ଜଗାର ଖାଇବା ପିଇବା ଠିକ୍‌ ହେଉନାହିଁ । ଲକ୍‌ଡାଉନ୍‌ରେ ଆବାସିକ ସ୍କୁଲ୍‌ ଛୁଟି ହୋଇଯିବା ପରେ ବଡ଼ ଏବଂ ମଝିଆଁ ପୁଅ ଏସ୍‌ସିବି ଡାକ୍ତରଖାନାରେ ଆସି ଆମ ପାଖରେ ରହିଥିଲେ । ଜଗା ସହ ତାର ବଡ଼, ମଝିଆଁ ଭାଇ ମିଳିମିଶି ରହୁଥିଲେ । ମାତ୍ର ଖାଇବା ପିଇବା ଅସୁବିଧା ହେଲା ବୋଲି ବଡ଼ ପୁଅକୁ ତାର ବାପା ନେଇ ସମ୍ପର୍କୀୟଙ୍କ ଘରେ ଛାଡ଼ି ଦେଇ ଆସିଛନ୍ତି । ମଝିଆଁ ପୁଅ ଦତ୍ତୀୟ(୮) ଏବେ ଜଗା ପାଖରେ ରହୁଛି । ଗତ ଜୁଲାଇ ମାସରେ ଏମ୍‌ସ୍‌ରୁ ଆସିବା ଦିନୁ ବଳିଆ ଆଇସିୟୁରେ ରହି ଚିକିତ୍ସା ହେଉଛି । ଏବେ ଜଗା ସହ ମଝିଆଁ ପୁଅ ଦତ୍ତୀୟ ଓ ଆମେ ସ୍ୱାମୀ ସ୍ତ୍ରୀ ୪ ଜଣ ଏସ୍‌ସିବି ଆଶୁଚିକିତ୍ସା କେନ୍ଦ୍ର ଉପର ମହଲାରେ ଗୋଟିଏ ଘରେ ପଡି ରହିଛୁ ।

ଡାକ୍ତରଖାନାରେ ଥିବା ଯାଏ ପିଲାମାନଙ୍କ ଚିକିତ୍ସା ଖର୍ଚ୍ଚ ଏବଂ ଆମ୍ଭମାନଙ୍କ ଖାଇବା ପିଇବା ସରକାର ବହନ କରିବେ ବୋଲି କହିଥିଲେ । ହେଲେ ଏବେ ଲକ୍‌ଡାଉନ୍‌ ଦିନୁ ଆମେ ଭଲ କରି ମୁଠେ ଖାଇବାକୁ ପାଉନାହୁଁ ବୋଲି ପୁଷ୍ପାଞ୍ଜଳି କହଁର ଅଭିଯୋଗ କରିଛନ୍ତି । ବିଶେଷ କରି ଡାକ୍ତରଖାନା ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣିଆ ଡାଲି ଭାତ ଖାଇବାକୁ ଜଗା ନାରାଜ । କରୋନା ଘନଘଟା ଭିତରେ ଆମ କଥା ଏବେ କେହି ଶୁଣୁନାହାନ୍ତି । ଉପାୟ ନପାଇ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରରୁ ୫ ଟଙ୍କିଆ ମିଲ୍‌ କିଣି ଖାଉଛୁ । ଜଗାକୁ ଧରି ଆମ ଅସୁବିଧା ସମ୍ପର୍କରେ ଡାକ୍ତରଖାନା ଅଧୀକ୍ଷକଙ୍କୁ ଜଣାଇବା ପାଇଁ ମୁଁ ଦୁଇଥର ଭେଟିବାକୁ ଗଲିଣି, ହେଲେ ସାକ୍ଷାତ ସୁଯୋଗ ମିଳୁନାହିଁ ବୋଲି ପୁଷ୍ପାଞ୍ଜଳି କହିଛନ୍ତି ।

ଅନ୍ୟପକ୍ଷରେ ଜଗା ରହୁଥିବା ଜାଗାକୁ ସାନିଟାଇଜ୍‌ କରାଯାଉନଥିବା ଅଭିଯୋଗ ହୋଇଛି । ଆଶୁଚିକିତ୍ସା କେନ୍ଦ୍ର ତଥା ଟ୍ରମା କେୟାର କୋଠାର ଏକ ପ୍ରକୋଷ୍ଠ ନିକଟରେ ପ୍ରତିଦିନ ଶହଶହ ସଂଖ୍ୟାରେ ରୋଗୀ ଚଳପ୍ରଚଳ ହେଉଛନ୍ତି । ଜଗା ମଧ୍ୟ ବାହାରେ ଚଟାଣରେ ଖେଳକୁଦ କରୁଛି । ଜଗା ଡାକ୍ତରଖାନା ମଧ୍ୟରେ ରହୁଥିବାରୁ ସାନିଟାଇଜରରେ ତାର ହାତ ନିୟମିତ ବ୍ୟବଧାନରେ ସଫା କରାଯିବା ସହ ପରିବାର ସଦସ୍ୟମାନେ ମଧ୍ୟ ହାତ ସଫା କରିବା ଉଚିତ । ମାତ୍ର ଡାକ୍ତରଖାନା ପକ୍ଷରୁ ସାନିଟାଇଜର କିମ୍ବା ସାବୁନ୍‌ ଯୋଗାଇ ଦିଆଯାଇନଥିବା ପୁଷ୍ପାଞ୍ଜଳି ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକ କହିଛନ୍ତି, ଜଗା-ବଳିଆଙ୍କ ପାଇଁ ଡାକ୍ତରଖାନା ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି । କୌଣସି ପ୍ରକାର ଅବହେଳା କରାଯାଉନାହିଁ । ଏପରିକି ଉପଯୁକ୍ତ ଖାଦ୍ୟ ଯୋଗାଇ ଦେବାକୁ ନିୟୋଜିତ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା ଅଧୀକ୍ଷକ କହିଛନ୍ତି ।

   Related Posts