ସଞ୍ଜୟ ମାଞ୍ଜେକରଙ୍କୁ ମୁହଁତୋଡ ଜବାବ ଦେଲେ ରବୀନ୍ଦ୍ର ଜାଡେଜା, ପୁଣି ଥରେ ନିଜକୁ କଲେ ପ୍ରମାଣିତ

Published By : Prameya-News7 Bureau | December 02, 2020 IST

ନୂଆଦିଲ୍ଲୀ ୦୨।୧୨: ରବୀନ୍ଦ୍ର ଜାଡେଜା ପୁଣି ଥରେ ଦମଦାର ପ୍ରଦର୍ଶନ କରି ନିଜର ସମାଲୋଚକଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି। ବିଶେଷ କରି ପୂର୍ବତନ କ୍ରିକେଟ୍‌ର ସଞ୍ଜୟ ମାଞ୍ଜେକରଙ୍କୁ, ଯିଏ କିଛି ଦିନ ପୂର୍ବେ କହିଥିଲେ, ରବୀନ୍ଦ୍ର ଜାଡେଜାଙ୍କ ପରି କ୍ରିକେଟ୍‌ର ଦିନିକିଆ ଟିମ୍‌ରେ ରହିବା ଉଚିତ୍ ନୁହେଁ। ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ମ୍ୟାଚ୍‌ରେ ଦମଦାର ଅର୍ଦ୍ଧଶତକ ହାସଲ କରି ଦଳର ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାର କାନବେରାରେ ତୃତୀୟ ଦିନିକିଆ ଖେଳାଯାଇଛି। ଭାରତୀୟ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୫ ଓ୍ଵିକେଟ୍‌ରେ ୩୦୨ ରନ କରିଥିଲା। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଡେଜା ଷଷ୍ଠ ଓ୍ଵିକେଟ୍‌ରେ ଅପରାଜିତ ୧୫୦ ରନ ଯୋଡିଥିଲେ। ଦୁଇ ବ୍ୟାଟସମ୍ୟାନଙ୍କ ଚମତ୍କାର ବ୍ୟାଟିଂ ବଳରେ ଭାରତ ୩୦୦ ସ୍କୋର କରିବାକୁ ସକ୍ଷମ ହୋଇଥିଲା।

ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାଜିତ ହୋଇ ସିରିଜ୍ ହରାଇ ସାରିଥିଲା। ଦ୍ଵିତୀୟ ପରାଜୟ ପରେ ପୂର୍ବତନ କ୍ରିକେଟ୍‌ର ତଥା ଭାଷ୍ୟକାର ସଞ୍ଜୟ ମଞ୍ଜେକର ଭାରତର ଚୂଡାନ୍ତ ଏକାଦଶ ଉପରେ ପ୍ରଶ୍ନ ଉଠାଇଥିଲେ। ତାଙ୍କ କହିବା କଥା ଭାରତକୁ ବିଶେଷଜ୍ଞ ବ୍ୟାଟସମ୍ୟାନ, ବୋଲର କିମ୍ବା ଦମଦାର ଅଲରାଉଣ୍ଡରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିବା ଉଚିତ୍। ରବୀନ୍ଦ୍ର ଜାଡେଜାଙ୍କ ନାମ ଆସିବାରୁ ସେ କହିଥିଲେ, ମୋତେ ଜାଡେଜାଙ୍କ ସହ କୌଣସି ସମସ୍ୟା ନାହିଁ, ମାତ୍ର ସେ ବ୍ୟାଟ୍ କିମ୍ବା ବୋଲିଂରେ ମ୍ୟାଚ୍ ଜିତାଇ ପାରିବେ ନାହିଁ।

ଜାଡେଜା ତୃତୀୟ ଦିନିକିଆରେ ୫୦ ବଲରୁ ୬୬ ରନର ଅପରାଜିତ ଇନିଂସ ଖେଳି ସଞ୍ଜୟ ମାଞ୍ଜେକରଙ୍କୁ ଦୃଢ ଜବାବ ଦେଇଛନ୍ତି। ଯେତେବେଳେ ସେ ବ୍ୟାଟିଂ କରିବାକୁ ଆସିଥିଲେ, ଭାରତ ୫ ଓ୍ଵିକେଟ୍ ହରାଇ ୧୫୨ ରନ ସ୍କୋର କରିଥିଲା। ଜାଡେଜା ପାଣ୍ଡାଙ୍କ ସହ ମିଶି ଦଳକୁ ଆଉ କୌଣସି କ୍ଷତି ନଦେଇ ସ୍କୋରକୁ ୩୦୨ରେ ପହଞ୍ଚାଇଥିଲେ। ପୂର୍ବତନ ଖେଳାଳି ତଥା ଭାଷ୍ୟକାର ମହମ୍ମଦ କୈଫ ଜାଡେଜାଙ୍କ ପ୍ରଶଂସା କରି କହିଛନ୍ତି ଯେ, ତାଙ୍କୁ ସର୍ବଦା ଅଣ୍ଡରରେଟେଡ୍ ଖେଳାଳି  କୁହାଯାଏ। ମାତ୍ର ସେ ପୁଣି ଥରେ ପ୍ରମାଣିତ କରିଛନ୍ତି ଯେ, ସେ ଜଣେ ଦମଦାର ଅଲରାଉଣ୍ଡର। ସେ କେବଳ ନା ବଡ ସର୍ଟ ଖେଳି ପାରିବେ ତା ନୁହେଁ ବରଂ ଆବଶ୍ୟକ ପଡିଲେ ସିଙ୍ଗିଲ-ଡବଲ ନେଇ ଇନିଂସ ସମ୍ଭାଳି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.