ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍ ପଡିଲେ ଜାଡେଜା, ଚତୁର୍ଥ ଇନିଂସରେ ଏହି ସର୍ତ୍ତରେ କରି ପାରନ୍ତି ବ୍ୟାଟିଂ

Published By : Prameya-News7 Bureau | January 10, 2021 IST

ନୂଆଦିଲ୍ଲୀ ୧୦।୦୧: ଅଷ୍ଟ୍ରେଲିଆ ବିପକ୍ଷ ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଶନିବାର ଆଙ୍ଗୁଠି ଭାଙ୍ଗି ଯିବାରୁ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚ୍‌ରୁ ବାଦ୍ ପଡିବା ସହିତ ଇଂଲଣ୍ଡ ବିପକ୍ଷ ଆଗାମୀ ସିରିଜ୍‌ର ପ୍ରଥମ ଦୁଇଟି ଟେଷ୍ଟରୁ ମଧ୍ୟ ଦଳରୁ ବାହାରି ଯାଇଛନ୍ତି। ଭାରତର ପ୍ରଥମ ଇନିଂସରେ ବ୍ୟାଟିଂ ସମୟରେ ମିଚେଲ ଷ୍ଟାର୍କଙ୍କ ସଟ୍‌ ପିଚ୍ ବଲ୍ ଜାଡେଜାଙ୍କ ବାମହାତର ଆଙ୍ଗୁଠିରେ ବାଜିଥିଲା। ଆହତ କାରଣରୁ ସେ ଅଷ୍ଟ୍ରେଲିଆର ଦ୍ଵିତୀୟ ଇନିଂସରେ ବୋଲିଂ କରି ପାରିନଥିଲେ।

ଭରାତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ)ର ମଧ୍ୟସ୍ଥ ସୂତ୍ର ଅନୁଯାୟୀ ରବୀନ୍ଦ୍ର ଜାଡେଜା ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍ ପଡିଛନ୍ତି। ତାଙ୍କୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବାକକୁ ଚାରିରୁ ଛଅ ସପ୍ତାହ ସମୟ ଲାଗିପାରେ। ଇଂଲଣ୍ଡ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଫେବୃଆରୀ ୫ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଓ ଦ୍ଵିତୀୟ ଟେଷ୍ଟ ଚେନ୍ନାଇରେ ଖେଳାଯିବ। ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ଜାଡେଜା ୪ ଓ୍ଵିକେଟ୍  ନେବା ସହ ଅପରାଜିତ ୨୮ ରନ କରିଥିଲେ।

ସିଡନୀ ଟେଷ୍ଟରେ ଆବଶ୍ୟକ ପଡିଲେ ସେ ଇଞ୍ଜେକ୍ସନ ଲଗାଇ ବ୍ୟାଟିଂ କରିବେ। ଭାରତୀୟ ଦଳର ବରିଷ୍ଠ ଖେଳାଳି ରବିଚନ୍ଦ୍ରନ ଅଶ୍ଵିନ କହିଛନ୍ତି କହୁଣୀରେ  ଆଘାତ ଲାଗିଥିବା ଋଷଭ ପନ୍ତ ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରିବେ। ପାଟ୍ କମିନ୍ସଙ୍କ ବଲ୍ ତାଙ୍କ କହୁଣୀରେ ବାଜିଥିଲା। ଏହା ପରେ ଜାଡେଜା ଓ ପନ୍ତଙ୍କୁ ସ୍କାନ ପାଇଁ ନିଆଯାଇଥିଲା। ସେଥିରୁ ପନ୍ତଙ୍କ ଆଘାତ ଗୁରୁତର ନଥିବା ଜଣା ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.