ମୋଟେରା ପିଚ୍କୁ ନେଇ ଅସନ୍ତୋଷ ବ୍ୟକ୍ତକଲେ ଆଲିଷ୍ଟର କୁକ୍ : କହିଲେ, ‘ପିଚ୍ରେ ବ୍ୟାଟିଂ କରିବା ବହୁତ କଷ୍ଟ’
26/02/2021 at 9:28 PM

ନୂଆଦିଲ୍ଲୀ ୨୬/୦୨ : ଇଂଲଣ୍ଡ ଟିମ୍ର ପୂର୍ବତନ ଅଧିନାୟକ ଆଲିଷ୍ଟର କୁକ୍ ମୋଟେରା ପିଚ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କୁକ୍ କହିଛନ୍ତି ଅହମ୍ମଦାବାଦରେ ନୂତନ ଭାବେ ତିଆରି ହୋଇଥିବା ମୋଟେରା ପିଚ୍ରେ ବ୍ୟାଟିଂ କରିବା ବହୁତ କଠିନ । କୋହଲି ଦେଇଥିବା ମନ୍ତବ୍ୟକୁ ନେଇ ଅସହମତି ପ୍ରକାଶ କରିଛନ୍ତି ଆଲିଷ୍ଟର କୁକ୍ ।
ତୃତୀୟ ଟେଷ୍ଟରେ ମାତ୍ର ୨ଦିନରେ ଖେଳ ଶେଷ ହୋଇଯାଇଥିଲା । ଇଂଲଣ୍ଡକୁ ୧୦ ଓ୍ବିକେଟ୍ରେ ହରାଇଥିଲା ଭାରତ । ତେବେ ଭାରତୀୟ ଅଧିନାୟକ ବିରାଟ କୋହଲି ଦେଇଥିବା ମନ୍ତବ୍ୟକୁ ନେଇ ବୟାନ ରଖିଛନ୍ତି ଆଲିଷ୍ଟର କୁକ୍ । ମ୍ୟାଚ୍ ପରେ କୋହଲି କହିଥିଲେ ଯେ, ପ୍ରଥମ ଇନିଂସରେ ବ୍ୟାଟିଂ କରିବା ବହୁତ ସହଜ ଥିଲା । ମ୍ୟାଚ୍ ପରେ କୋହଲି ପିଚ୍ର ଦୋଷକୁ ଲୁଚାଇବାକୁ ଯାଇ ବ୍ୟାଟିଂ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ ।
କୋହଲି କେବଳ ଇଂଲଣ୍ଡ ନୁହେଁ ବରଂ ଉଭୟ ଟିମ୍ର ବ୍ୟାଟିଂ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଉଭୟ ଟିମ୍ର ବ୍ୟାଟ୍ସମ୍ୟାନ୍ଙ୍କ ନିକଟରେ ଦକ୍ଷତାର ଅଭାବ ଥିଲା । ଦ୍ବିତୀୟ ଦିନରେ ବଲ ଭଲ ଟର୍ନ ହେଉଥିଲା ଏବଂ ପ୍ରଥମ ଇନିଂସରେ ଭଲ ସ୍କୋର କରିବା ପାଇଁ ଏହା ଭଲ ଓ୍ବିକେଟ୍ ମଧ୍ୟ ଥିଲା । ତେବେ କୋହଲିଙ୍କ ଏପରି ଟିପ୍ପଣୀକୁ ନେଇ ଅସହମତି ପ୍ରକାଶ କରିଛନ୍ତି ଆଲିଷ୍ଟର କୁକ୍ ।